ହାଇଦ୍ରାବାଦ: ନୂଆବର୍ଷରେ ନୂଆ ବନ୍ଧନ । ସରକାରଙ୍କଠୁ ମିଳିବ ଉପହାର । ନୂଆବର୍ଷରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା କନ୍ୟାଙ୍କ ପାଇଁ ଖୁସି ଖବର । ସରକାର ଦେବେ ସୁନା ଉପହାର । ଏହି ସ୍କିମ୍ 2020ରୁ ଲାଗୁ ହେବାକୁ ଯାଉଛି । ଯୋଜନାର ଲାଭ ଉଠାଇବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି ।
ଆସାମ ସରକାର 1 ଜାନୁଆରୀରୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା କନ୍ୟାଙ୍କୁ ଦେବେ 10 ଗ୍ରାମର ସୁନା ଉପହାର । ଏ ନେଇ ଆସାମର ବିଜେପି ସରକାର ଗତ ମାସ ଏହି ଯୋଜନାର ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏହି ଯୋଜନାର ନାମ 'ଅରୁନ୍ଧତି ସ୍ବର୍ଣ୍ଣ ଯୋଜନା' ରଖିଛନ୍ତି।
ଯୋଜନାର ଲାଭ ଉଠାଇବା ପାଇଁ କିଛି ସର୍ତ୍ତ ରଖାଯାଇଛି । ବିବାହ କରିବାକୁ ଯାଉଥିବା କନ୍ୟା ପରିଜନଙ୍କୁ ବିବାହ ପଞ୍ଜିକୃତ କରାଇବାକୁ ପଡିବ । କନ୍ୟା ଅତି କମରେ ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା ଆବଶ୍ୟକ । ଏହା ବ୍ୟତୀତ କନ୍ୟା ପରିବାରର ବାର୍ଷିକ ଆୟ 5 ଲକ୍ଷ ଟଙ୍କାରୁ କମ ହୋଇଥିବା ଦରକାର । 'ଅରୁନ୍ଧତି ସ୍ବର୍ଣ୍ଣ ଯୋଜନା'ର ଲାଭ କନ୍ୟାର ପ୍ରଥମ ବିଭାଘରରେ ହିଁ ମିଳିବ । ଅର୍ଥାତ ଦ୍ବିତୀୟ ବିବାହ କଲେ ଏହି ଯୋଜନାର ଲାଭ ମିଳିବ ନାହିଁ ।
କନ୍ୟାକୁ 10 ଗ୍ରାମର ସୁନା ମିଳିବ । ଏହି ଉପହାରରେ ସୁନାକୁ ସିଧାସଳଖ ହାତରେ ନ ଦେଇ ରେଜିଷ୍ଟ୍ରେସନ ଭେରିଫିକେସନ ପରେ 30 ହଜାର ଟଙ୍କା କନ୍ୟାର ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ପରେ କନ୍ୟା ପରିବାର ଦ୍ବାରା କିଣା ଯାଇଥିବା 30 ହଜାର ଟଙ୍କା ସୁନା ଅଳଙ୍କାରର ବିଲ୍ ପଇଠ କରିବାକୁ ପଡିବ । ଏହି ଟଙ୍କାର ଉପଯୋଗ ଅଳଙ୍କାର କିଣିବା ବ୍ୟତୀତ ଅନ୍ୟ କୌଣସି କାମରେ ନ ଲଗାଇବା ସରକାରଙ୍କ ଲକ୍ଷ ରହିଛି ।