ବେଙ୍ଗାଲୁରୁ: କର୍ଣ୍ଣାଟକ ବିଚାରପତିଙ୍କୁ ବୋମା ବିସ୍ଫୋରଣର ଧମକପୂର୍ଣ୍ଣ ଚିଠି । ଡ୍ରଗ୍ ମାମଲା ଓ ଡିଜେ ହିଲ ହିଂସାକାଣ୍ଡ ଅଭିଯୁକ୍ତଙ୍କୁ ମୁକ୍ତି କରିବାକୁ ଏପରି ଧମକ ପୂର୍ଣ୍ଣ ଚିଠି ଜଣେ ବିଚାରପତିଙ୍କୁ ମିଳିଛି । ଚିଠିଟି ଆତଙ୍କବାଦୀ ସଙ୍ଗଠନ ମହମ୍ମଦ ଜୈସ ଇ ନାମରେ ଆସିଛି ।
ଏନଡିପିଏସ ବିଚାରପତି ଯେକି, ଡ୍ରଗ୍ ମାମଲାର ବିଚାର କରୁଛନ୍ତି ତାଙ୍କୁ ଏହି ଚିଠି ଆସିଛି । ଚିଠିଟି ମହମ୍ମଦ ଜୈସ ଇ ଆତଙ୍କବାଦୀ ସଙ୍ଗଠନ ନାମରେ ଆସିଥିବାବେଳେ ଡ୍ରଗ୍ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ଓ ସଞ୍ଜନା ଗଲରାନୀଙ୍କୁ ଜାମିନ ଦେବାକୁ କୁହାଯାଇଛି । ଯଦି ବିଚାରପତି ଜଣଙ୍କ ଜାମିନ ମଞ୍ଜୁର ନ ଦିଅନ୍ତି ତେବେ ତାଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ଏହାସହ ଏକ ବନ୍ଦ ଲଫାପା ମଧ୍ୟ ଚିଠି ସହିତ ରହିଛି । ଯାହାକି ସିସିଏଚ କୋର୍ଟ ବେଙ୍ଗାଲୁରୁ ବାହାରେ ପଡିଥିବାର ଦେଖିବାକୁ ମିଳିଥିଲା । ଡ୍ରଗ୍ ମାମଲାର ଅଭିଯୁକ୍ତଙ୍କ ସହିତ ଡିଜେ ହିଲ ହିଂସା ଘଟଣାର ଅଭିଯୁକ୍ତଙ୍କୁ ଛାଡିବାକୁ ମଧ୍ୟ ଚିଠିରେ ଲେଖାଯାଇଛି । ତେବେ ଏହି ଚିଠିକୁ ପୋଲିସ କମିଶନର ଓ କ୍ରାଇମ୍ ଡିସିପି ଓ ଯୁଗ୍ମ ପୋଲିସ କମିଶନରଙ୍କୁ ପଠାଇଦିଆଯାଇଛି । ଏହାସହ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯାଇଛି ।
ସୂଚନାଥାଉକି, କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ନିକଟରେ ଡ୍ରଗ ଡିଲିଂ କେସରେ ସିସିବି ଦ୍ବାରା ଗିରଫ ହୋଇଥିଲେ । ସେହିପରି କିଛିଦିନ ପୂର୍ବରୁ ବେଙ୍ଗାଲୁରୁର ଡିଜେ ହିଲରେ ଏକ ଫେସବୁକ୍ ପୋଷ୍ଟକୁ ନେଇ ହିଂସା ହୋଇଥିଲା। କିଛି ଉପଦ୍ରବୀ ବିଧାୟକ ଶ୍ରୀନିବାସ ମୁର୍ତ୍ତୀଙ୍କ ଘର ଏବଂ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 60 ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନେ 250 ରୁ ଅଧିକ ଗାଡିରେ ନିଆଁ ଲଗାଇ ଦେଇଥିଲେ। ତେବେ ଏହି ମାମଲାରେ 400 ଜଣଙ୍କୁ ଗିରଫ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ