କୋଲକତା: କୋରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ବନ୍ଦ ହେଲା ପଶ୍ଚିମବଙ୍ଗ ହାୱଡା ସ୍ଥିତ ବେଲୁର ମଠ ଓ ରାମକୃଷ୍ଣ ମିଶନର ମୁଖ୍ୟାଳୟ । କୋରୋନା ଭାଇରସ ଧିରେ ଧିରେ ସମଗ୍ର ବିଶ୍ବକୁ କବଳିତ କରିବାକୁ ଲାଗିଲାଣି । ଏଥିରେ 5 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଲକ୍ଷେରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି ।
ରାମକୃଷ୍ଣ ମିଶନ ଏକ ଆଧ୍ୟାତ୍ମିକ ସଂଗଠନ ଯାହାକି ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବିଭିନ୍ନ ପ୍ରକାରର ମାନବିକ, ସାମାଜିକ ସେବା କାର୍ଯ୍ୟକଳାପରେ ନିୟୋଜିତ ରହିଛି । ପ୍ରତିଦିନ ଏଠାରେ ହଜାର ହଜାର ଲୋକଙ୍କର ଯିବା ଆସିବା ରହିଥାଏ। କୋରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ମଠକୁ ବନ୍ଦ କରାଯାଇଛି । ବେଲୁର ମଠ ଓ ରାମକୃଷ୍ଣ ମିଶନ ପରିସରର ଲୋକଙ୍କୁ କୋରୋନାକୁ ନେଇ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଚୀନର ଉହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କୋରୋନା ଭାଇରସ ସାରା ବିଶ୍ବକୁ କବଳିତ କରିଛି । ଭାରତରେ ବର୍ତ୍ତମାନ 111 ଜଣ କୋରୋନା ଆକ୍ରାନ୍ତ ହୋଇଥିଲା ବେଳେ ଦୁଇଜଣ ପ୍ରାଣ ହରାଇଛନ୍ତି । ପୃଥିବୀର ପ୍ରାୟ 152ଟି ରାଷ୍ଟ୍ରର ଏହି ଭୂତାଣୁ ବ୍ୟାପିଛି ।
@ANI