କେହି ଜଣେ ରୋଗଗ୍ରସ୍ତ ହୋଇଥିବା ଦେଖିଲେ ବେଶ୍ ଦୁଃଖ ଲାଗେ। ପୁଣି ଯେତେବେଳେ ସେହି ରୋଗର ଚିକିତ୍ସା ସରିବା ପରେ ସମ୍ପୃକ୍ତ ବ୍ୟକ୍ତି ବା ତାଙ୍କ ପରିବାର ନିଜର ମେଡିକାଲ୍ ବା ଚିକିତ୍ସା ସମ୍ବନ୍ଧୀୟ ବିଲ୍କୁ ପଇଠ କରିବା ପାଇଁ ଯେଉଁ ସଂଗ୍ରାମ କରନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ ମନେହୁଏ। ସେଇଥିପାଇଁ ତ କେହି ଜଣେ ଚିକିତ୍ସା ପାଇଁ ଡାକ୍ତରଖାନା ବାହାରିଲେ ଚିନ୍ତା ବଢ଼ିଯାଏ। କାରଣ ସେହି ଚିକିତ୍ସା ବାବଦ ଖର୍ଚ ପଇଠ କରିବା ଲାଗି ସମ୍ପୃକ୍ତ ପରିବାର ବା ତାଙ୍କ ବନ୍ଧୁଜନଙ୍କୁ ଋଣ ବି କରିବାକୁ ପଡ଼ିଥାଏ। ଦିନକୁ ଦିନ ବଢ଼ୁଥିବା ମେଡିସିନ୍ ଦର, ଡାକ୍ତରଙ୍କ ପରାମର୍ଶ ଫି’ ନିଦାନ ଖର୍ଚ, ହସ୍ପିଟାଲ୍ର ଦେୟ ପ୍ରଭୃତିକୁ ଆକଳନ କଲେ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ପରିବାର ମୁଣ୍ଡରେ ଚଡ଼କ ପ୍ରାୟ ପଡ଼ିବା ସ୍ଵଭାବିକ। କାରଣ ଏକ ହିସାବରୁ ଜଣାପଡ଼ିଛି ଯେ, ପ୍ରତିବର୍ଷ ଆମ ଦେଶରେ ଅତିକମ୍ରେ ୭ ପ୍ରତିଶତ ପରିବାର ଚିକିତ୍ସା ଖର୍ଚ ତୁଲାଇବାକୁ ଯାଇ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଆନ୍ତି। ଏଭଳି ପରିସ୍ଥିତିରେ ପୁଣି ଆଶଙ୍କା କରାଯାଉଛି ଯେ ଆସନ୍ତା କିଛି ଦଶନ୍ଧି ଭିତରେ ସାରା ବିଶ୍ଵ ଏହି ପ୍ରକାର ଏକ ବର୍ଦ୍ଧିତ ଚିକିତ୍ସା ଖର୍ଚ ମୁଣ୍ଡାଇବାକୁ ଯାଉଛି। ପ୍ରତିବର୍ଷ ଏହି ଚିକିତ୍ସା ବାବଦ ଖର୍ଚ ୫.୫ ପ୍ରତିଶତ ହାରରେ ବଢ଼ିବା ଆକଳନ କରାଯାଇଛି। ବିଶେଷକରି ଭାରତ ପରି ମଧ୍ୟବିତ୍ତ ଦେଶଗୁଡ଼ିକ ଏହାଦ୍ଵାରା ପ୍ରଭାବିତ ହେବେ। ଏଣୁ ଏପରି ପ୍ରଶ୍ନ ମୁଣ୍ଡକୁ ଜୁଟିବା ସ୍ଵଭାବିକ ଯେ, ଏହିଭଳି ସମସ୍ୟାର ସମାଧାନ କ’ଣ? ଆମେ କେମିତି ଏହି ବର୍ଦ୍ଧିତ ମେଡିକାଲ୍ ଖର୍ଚକୁ ମୁକାବିଲା କରି ପାରିବା? ଏଥିପ୍ରତି କି ପ୍ରକାର ସତର୍କତା ଗ୍ରହଣ କରାଯିବା ଆବଶ୍ୟକ?
ଦ୍ଵିତୀୟ ଆହ୍ବାନ
୧. ବର୍ତ୍ତମାନ ସମୟରେ ଆବାଳବୃଦ୍ଧ ବନିତା ଉତ୍କଟ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ ଭିତରେ ହୃଦ୍ରୋଗ ଏବଂ କ୍ୟାନ୍ସର ପରି ସମସ୍ୟାବି ରହିଛି। ଏହିପରି ରୋଗରେ ପ୍ରଭାବିତଙ୍କ ସମଗ୍ର ବିଶ୍ଵରେ ପ୍ରତିଦିନ ବଢ଼ୁଛି। ଏଥିରେ ବୟସ କୌଣସି ଭୂମିକା ବହନ କରୁନାହିଁ।
୨. ଏହିସବୁ ରୋଗଗୁଡ଼ିକ ଅତ୍ୟାଧୁନିକ ଚିକିତ୍ସା ଖର୍ଚ୍ଚ ସାରା ବିଶ୍ଵରେ ବଢ଼ି ଚାଲିଛି।
୩. ଏ ବାବଦରେ ଆବଶ୍ୟକ ଔଷଧ ଏବଂ ନିଦାନ ଖର୍ଚ୍ଚ ବି ପ୍ରତିବର୍ଷ ବୃଦ୍ଧି ପାଉଛି। ପାଖାପାଖି ୫୨ ପ୍ରତିଶତ ଚିକିତ୍ସା ବାବଦ ଖର୍ଚ୍ଚ ଫାର୍ମାସ୍ୟୁଟିକାଲ୍ ବାବଦରେ ଖର୍ଚ୍ଚ ହେଉଛି।
୪. ବୃଦ୍ଧବୃଦ୍ଧାଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ବଢ଼ିବାରେ ଲାଗିଛି କାରଣ ସେମାନେ ନିୟମିତ ଭାବେ ସେବନ କରୁଥିବା ଔଷଧ ପରିମାଣ ଦିନକୁ ଦିନ ବଢ଼ି ଚାଲିଛି।
ଯେତେବେଳ ଯାଏ ଜଣେ ବ୍ୟକ୍ତି ସୁସ୍ଥ ଓ ନିରୋଗ ରହିଛି ସବୁକିଛି ଠିକ୍ଠାକ୍ ଚାଲିଥାଏ। ଯେଉଁ ମୁହୂର୍ତ୍ତରେ ସେ ରୋଗାଗ୍ରସ୍ତ ହୁଏ ସେବେଠାରୁ ବାସ୍ତବରେ ସବୁ ସମସ୍ୟା ଆରମ୍ଭ ହୁଏ। ଡାକ୍ତରଙ୍କ ଫି’, ଔଷଧ ଖର୍ଚ, ନିଦାନ ଏବଂ ଅନ୍ୟାନ୍ୟ ମେଡିକାଲ୍ ବାବଦ ଖର୍ଚ୍ଚ ଏମିତି ପରିସ୍ଥିତିରେ ସମ୍ପୂଣ୍ଣ ପରିବାରକୁ ଠିଆ କରିଦିଏ ଯେ, ସେ ପରିବାରଟି ସେହି ଖର୍ଚ୍ଚକୁ ତୁଲାଇବାକୁ ଯାଇ ଋଣ ଭିତରେ ପ୍ରବେଶ କରେ। ଖାଲି ସେତିକି ନୁହେଁ ଏହି ଋଣରୁ ମୁକ୍ତି ପାଇବା ବି କଷ୍ଟକର ହୋଇପଡ଼େ। ଆପଣ ଜାଣି ଚକିତ ହେବେ ଯେ, ଆମ ଦେଶର 20 ପ୍ରତିଶତ ଲୋକ ସେମାନଙ୍କ ଅନ୍ତରଙ୍ଗ ବ୍ୟକ୍ତିଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ତୁଲାଇବାକୁ ଯାଇ ନିଜ ସମ୍ପତ୍ତିର ଅଧା ପରିମାଣକୁ ବିକ୍ରି କରିଦେଇଥାଆନ୍ତି । ଆସନ୍ତା ଦଶନ୍ଧିରେ ଏହି ପରିସ୍ଥିତିକୁ ଆକଳନ କଲେ ତାହା ଆହୁରି ଦୁର୍ବିସହ ହେବା ଆଶଙ୍କା ରହିଛି। ଏଣୁ ବର୍ତ୍ତମାନ ପିଢ଼ି ପାଇଁ ଏହି ପରିସ୍ଥିତିକୁ ମୁକାବିଲା କରିବା ତଥା ସର୍ବ ନିମ୍ନ ଭାବେ ପ୍ରଭାବିତ ହୋଇ ସେଥିରୁ ମୁକୁଳିବା ଲାଗି ବାଟ କାଢ଼ିବା ଏକ ବିଶାଳ ଆହ୍ବାନ।
ଯୁକ୍ତରାଜ୍ୟରେ କାର୍ଯ୍ୟକରୁଥିବା ଜଣେ ଡାକ୍ତର କିଛିଦିନ ପରେ ତାଙ୍କ କାମକୁ ଫେରି ଏକ ବିସ୍ମୟକର ପ୍ରଶ୍ନର ସମ୍ମୂଖୀନ ହେଲେ। ତାଙ୍କୁ ପଚରାଯାଇଥିବା ପ୍ରଶ୍ନଟି ହେଲା: ଭାରତ ଏବଂ ବ୍ରଟେନ୍ର ଚିକିତ୍ସା ବ୍ୟବସ୍ଥା ଭିତରେ କି ଫରକ ଦେଖୁଛନ୍ତି? ଏହାର ଉତ୍ତରରେ ସେ କହିଲେ, ବ୍ରିଟେନ୍ରେ ଚିକିତ୍ସା ପାଇଁ ଜଣେ ରୋଗୀ ଡାକ୍ତରଙ୍କ ପାଖକୁ ଅସିଲେ ଡାକ୍ତର ପ୍ରଥମେ ସେହି ରୋଗକୁ ଚିହ୍ନଟ କରିବା ଲାଗି ଲାଗି ନିଜ ଜ୍ଞାନ ତଥା ଅତ୍ୟାଧୁନିକ କୌଶଳକୁ କିପରି ବ୍ୟବହାର କରାଯିବ ସେଥିଗି ନିଜକୁ କେନ୍ଦ୍ରୀଭୂତ କରେ। ଏଥିଲାଗି ଆବଶ୍ୟକ ସମସ୍ତ ନିଦାନ ତଥା ଚିକିତ୍ସା ବ୍ୟବସ୍ଥାକୁ ଉନ୍ମୁକ୍ତ କରେ। କିନ୍ତୁ ଭାରତରେ କୌଣସି ରୋଗୀକୁ ଚିକତ୍ସା ପାଇଁ ପରାମର୍ଶ ଦେବା ପୂର୍ବରୁ ଡାକ୍ତରଙ୍କୁ ପ୍ରଥମେ ରୋଗୀ ତଥା ତାଙ୍କ ପରିବାରର ଅର୍ଥନୀତିକ ଅବସ୍ଥା, ସେ ଚିକିତ୍ସା ଏବଂ ନିଦାନ ଖର୍ଚକୁ ତୁଲାଇପାରିବ କି ନାହିଁ ସେ ବାବଦରେ ପ୍ରଥମେ ଚିନ୍ତା କରିବାକୁ ହୋଇଥାଏ। ପୁଣି ସେ ସେହି ରୋଗୀଟି ସରକାରୀ ଯୋଜନା ଅନ୍ତର୍ଭୁକ୍ତ କି ନୁହେଁ ତାହା ବି ଜାଣିବାକୁ ହୋଇଥାଏ। ‘ଏହା ହିଁ ଦୁଇ ଦେଶର ଚିକିତ୍ସା ପ୍ରକ୍ରିୟା ଭିତରେ ପ୍ରମୁଖ ପ୍ରଭେଦ ଯାହାକୁ ମୁଁ ଆକଳନ କରିଛି’ ବୋଲି ସେ ଉତ୍ତର ଦେଇଥିଲେ।
ସେହି ଡାକ୍ତର ବାବୁଙ୍କ ଉତ୍ତର ହିଁ ଭାରତୀୟ ଚିକିତ୍ସା ବ୍ୟବସ୍ଥା ଏବଂ ଏହାର ସମସ୍ୟା ତଥା କାର୍ଯ୍ୟକାରିତା ବାବଦରେ ଅନେକ କଥା ବୟାନ କରୁଛି। ଆମ ଦେଶରେ ଚିକିତ୍ସା ହେବା ପାଇଁ ବିଭିନ୍ନ ମେଡିକାଲ ତଥା ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ଭିତରୁ ୭୦ ପ୍ରତିଶତଙ୍କୁ ଘରୋଇ ମେଡିସିନ କିଣିବାକୁ ପଡ଼ିଥାଏ। ଏମାନଙ୍କ ଭିତରୁ ଅନେକଙ୍କ ପାଖରେ କୌଣସି ମେଡିକାଲ ଇନସ୍ୟୁରାନ୍ସ ନଥାଏ। ଭାରତରେ ଏମିତି ଅବସ୍ଥା ବି ଦେଖିବାକୁ ମିଳେ ଯେତେବଳେ ଡେଙ୍ଗୁ ଜ୍ବର ପରି ରୋଗର ଚିକତ୍ସା ଲାଗି ମଧ୍ୟ ପରିବାର ଲୋକଙ୍କ ପାଖରେ ଅର୍ଥାଭାବ ଦେଖିବାକୁ ମିଳେ ଏବଂ ସେହି ଅଭାବକୁ ପୂରଣ କରିବା ଲାଗି ସମ୍ପୃକ୍ତ ପରିବାରକୁ ବିଭିନ୍ନ ସୂତ୍ରରୁ ଉଧାର କରିବାକୁ ପଡ଼ିଥାଏ।
ଆମେ କ’ଣ କରିପାରିବା ?
ବଢ଼ୁଥିବା ଏହି ମେଡିକାଲ୍ ଖର୍ଚ ଧନୀକ ଶ୍ରେଣୀ ପାଇଁ କୌଣସି ସମସ୍ୟା ସୃଷ୍ଟି କରେ ନାହିଁ କି ତାଙ୍କ ଜୀବନ ଶୈଳୀରେ ପ୍ରଭାବ ପକାଏ ନାହିଁ। ସେହିପରି ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାରୀ ଯୋଜନା ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ସେମାନଙ୍କ ଲାଗି ଅନେକ ବୀମା ଯୋଜନା ପ୍ରଚଳନ କରିଛନ୍ତି, ସେଥି ମଧ୍ୟରୁ ଆରୋଗ୍ୟଶ୍ରୀ ଓ ଆୟୁଷ୍ମାନ ଭାରତ ପ୍ରଭୃତି ଅନ୍ୟତମ। ପୁଣି ସରକାରୀ ବା ଘରୋଇ ସଂସ୍ଥାରେ ଚାକିରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ବୀମା ବ୍ୟବସ୍ଥା ରହିଛି ବା ସେମାନଙ୍କ ପାଇଁ ମେଡିକାଲ ଖର୍ଚ୍ଚ ପୁନଃ ପାଇବାର ବ୍ୟବସ୍ଥା ରହିଛି। ହେଲେ ବାସ୍ତବରେ ସମସ୍ୟା ଯେଉଁମାନେ ଭୋଗୁଛନ୍ତି ସେମାନେ ହେଲେ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି। ଏହି ଶ୍ରେଣୀର ନାଗରିକଙ୍କ ପାଇଁ ନା କୌଣସି ସରକାରୀ, ଘରୋଇ ସହାୟତା ବ୍ୟବସ୍ଥା ରହିଛି ନା ତାଙ୍କ ପାଖରେ ଭବିଷ୍ୟତର ଚିକିତ୍ସା ଖର୍ଚ୍ଚ ଉଠାଇବା ଲାଗି କୌଣସି ବ୍ୟାକ୍ଅପ୍ ଯୋଜନା ରହିଛି। ଏହିଭଳି ଏକ ପୃଷ୍ଠଭୂମିରେ ଆଗକୁ ଆସୁଥିବା ଚିକିତ୍ସା ଖର୍ଚ୍ଚ ବା ବଢ଼ୁଥିବା ମେଡିକାଲ ଖର୍ଚ୍ଚକୁ ସେମାନେ କେମିତି ମୁକାବିଲା କରିବେ, ତାହା ଏକ ଚିନ୍ତାର ବିଷୟ।
ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା
ସ୍ଵାସ୍ଥ୍ୟର କିପରି ଯତ୍ନ ନେବାକୁ ହେବ ସେ ବାବଦରେ ସଚେତନତା ବଢ଼ିଲେ ତାହା ରୋଗରେ ପଡ଼ିବା ଆଶଙ୍କାକୁ କମାଇବା ସମ୍ଭାବନା ରହିଛି। ଏଣୁ ପ୍ରତି ଲୋକଙ୍କୁ ରୋଗ ଏବଂ ଏହାର ପ୍ରତିକାର କ’ଣ ତାହାକୁ ବୁଝିବାକୁ ହେବ। ନିରୋଗ ସ୍ଵାସ୍ଥ୍ୟ କିପରି ବଜାୟ ରଖିହେବ, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ପରିମଳ ଓ ରୋଗ ପ୍ରତିରୋଧ ବାବଦରେ ଆବଶ୍ୟକ ଜ୍ଞାନ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ଏହି ସଚେତନତା ଛୁଆବେଳୁ ହିଁ ଆରମ୍ଭ କରିବାକୁ ହେବ।
ଶୀଘ୍ର ଚିକିତ୍ସା ନିଦାନ
ପ୍ରତିବର୍ଷ କିଛି ଆବଶ୍ୟକ ମେଡିକାଲ ଟେଷ୍ଟ ବା ହେଲ୍ଥ ଚେକଅପ ବା ନିଦାନ ବ୍ୟବସ୍ଥା ଅନେକାଂଶରେ ଲାଭଦାୟକ ହୋଇଥାଏ। କୌଣସି ରୋଗ ହେଲେ ଡାକ୍ତରଖାନାକୁ ଟଣା ହୋଇ ଆସିବା ଅପେକ୍ଷା ଏହା ଶହେଗୁଣରେ ଉପାଦେୟ। ଏହି ପ୍ରାକ ନିଦାନ ଅନେକ ସମୟରେ କ୍ୟାନ୍ସର ଭଳି ହାନିକାରକ ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ। କିନ୍ତୁ ଏବେ ଏହିଭଳି ପ୍ରାକ ମେଡିକାଲ ନିଦାନ ସୁବିଧା କେବଳ କିଛି ଶିକ୍ଷିତ ତଥା ଚାକିରିଆଙ୍କ ଭିତରେ ସୀମିତ ରହିଛି। ସବୁ ବର୍ଗର ଲୋକଙ୍କ ପାଖରେ ଏହା ପହଞ୍ଚିବା ଆବଶ୍ୟକ।
ସ୍ଵାସ୍ଥ୍ୟବୀମା
ହଠାତ୍ ଆମ ଆଗରେ ଉଭା ହେଉଥିବା ଚିକିତ୍ସା ବାବଦ ଖର୍ଚକୁ ତୁଲାଇବା ଲାଗି ‘ସ୍ଵାସ୍ଥ୍ୟବୀମା’ ଏକମାତ୍ର ଉତ୍ସ ପାଲଟିଥାଏ। ସମ୍ପ୍ରତି ଆମ ଦେଶରେ ଯେତିକି ସ୍ଵାସ୍ଥ୍ୟବୀମା ବିକ୍ରି ହୋଇଛି ତାହାର ସମୁଦାୟ ସଂଖ୍ୟା ହେଉଛି 2 କୋଟି 7 ହଜାର। ଏଥିରେ ବୀମାଭୁକ୍ତ ହିତାଧିକାରୀଙ୍କ ସଂଖ୍ୟା ହେଉଛି 47 କୋଟି 20 ଲକ୍ଷ। ଏହା ଜାଣିବା ଆବଶ୍ୟକ ଯେ ସେମାନେ କେଉଁ ଶ୍ରେଣୀର? ସେମାନେ ହେଲେ ଏହି ବର୍ଗର ବ୍ୟକ୍ତି ଯେଉଁମାନେ ସରକାରୀ କର୍ମଚାରୀ ବା ଗରିବ ଶ୍ରେଣୀର ବ୍ୟକ୍ତି ଯାହାଙ୍କ ବୀମା ବାବଦ ଖର୍ଚ ସରକାର ବହନ କରୁଛନ୍ତି ଅଥବା କୌଣସି ଘରୋଇ କମ୍ପାନୀ ଏହି ବୀମା ଦେୟକୁ ପଇଠ କରୁଛନ୍ତି। ଏହି କମ୍ପାନୀ ବା ଅନୁଷ୍ଠାନଗୁଡ଼ିକ ଭିତରୁ ଅଧିକାଂଶ ସ୍ଵାସ୍ଥ୍ୟବୀମା ବାବଦ ପ୍ରିମିୟମ ହାରାହାରି 2ରୁ 3 ବର୍ଷ ପଇଠ କରିଥାଆନ୍ତି। ଏହାପରେ ଏହି ବୀମା ପ୍ରିମିୟମ ପଇଠ ବ୍ୟାହତ ହୁଏ ବା ସମ୍ପୃକ୍ତ ହିତାଧିକାରୀଙ୍କୁ ବହନ କରିବାକୁ ପଡ଼ିଥାଏ। କିନ୍ତୁ ଏହା ମନେ ରଖିବା ଉଚିତ ଯେ, ବୀମା ପ୍ରିମିୟମ ରାଶି ସବୁବେଳେ ରୋଗର ଚିକିତ୍ସା ଖର୍ଚ ତୁଳନାରେ ଯଥେଷ୍ଟ କମ ହେବା ଆବଶ୍ୟକ।
ଏହା ଆମର ବର୍ତ୍ତମାନ ସ୍ଥିତି!
( ବିଭିନ୍ନ ସର୍ବେକ୍ଷଣକୁ ଭିତ୍ତିକରି ପ୍ରସ୍ତୁତ)
ବର୍ଷ 2000ରୁ 2014 ଭିତରେ ଚିକିତ୍ସା ଖର୍ଚ ବାବଦରେ 370 ପ୍ରତିଶତ ଅଭିବୃଦ୍ଧି ହୋଇଛି
ଆସନ୍ତା ଦଶନ୍ଧିରେ ଏହା କେତେ ଶହ ଗୁଣା ବଢ଼ିବ ତାହା କଳ୍ପନା କରିବା ବି ଅସମ୍ଭବ
ବିଭିନ୍ନ ଦେଶରେ ଚିକିତ୍ସା ବାବଦ ଖର୍ଚରେ ସରକାରୀ ଅଂଶ କେତେ ରହିଛି:
ବ୍ରିଟେନ୍- 83%, ଚୀନ- 56%, ଆମେରିକା- 48%, ବ୍ରାଜିଲ-46%, ଇଣ୍ଡୋନେସିଆ-39%, ଭାରତ- 30%
(ଏହା ବାଦ ସବୁ ଖର୍ଚ୍ଚ ଲୋକଙ୍କୁ ହିଁ ବହନ କରିବାକୁ ହୋଇଥାଏ)
ଚିକିତ୍ସା ବାବଦ ଖର୍ଚକୁ ନିଜ ପକେଟରୁ ତୁଲାଇ ପାରୁଥିବା ଲୋକଙ୍କ ସଂଖ୍ୟା
ଆମେରିକା-13.4%, ବ୍ରିଟେନ- 10%, ଚୀନ-13.4% । ଆମ ଦେଶରେ ଏହି ସଂଖ୍ୟା 62 %
(ଏହାର କାରଣ ହେଉଛି ସବୁ ରୋଗ ପାଇଁ ଖର୍ଚ୍ଚ କରିବା ପାଇଁ ଆବଶ୍ୟକ ସ୍ଵାସ୍ଥ୍ୟବୀମାର ଅଭାବ)
ଗତବର୍ଷ ସରକାର ଚିକିତ୍ସା ବାବଦ ଖର୍ଚ ପାଇଁ ସରକାର 1657 କୋଟି ଟଙ୍କା ଖର୍ଚ୍ଚ କରିଥିଲେ।
ଗତବର୍ଷ ଯେଉଁ ଲୋକମାନେ ଘରୋଇ ଚିକିତ୍ସାର ସୁବିଧା ପାଇଛନ୍ତି ସେମାନଙ୍କ ହାରାହାରି ଖର୍ଚ୍ଚ 31 ହଜାର 845 ଟଙ୍କା ରହିଥିଲା।