ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସ୍ଥାନେ ସ୍ଥାନେ ପ୍ରଦର୍ଶନକାରୀ ପୋଲିସକୁ ପଥର ଫିଙ୍ଗିବା ସହ ଗାଡି ମଟର ଜାଳି ଦେଇଥିଲେ । ପ୍ରଦର୍ଶନ ସମୟରେ ସୀଲମପୁରରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୋଲିସ ସୂତ୍ର ଅନୁସାରେ ସୀଲମପୁରରେ ହୋଇଥିବା ହିଂସା ପଛରେ ଦେଶରେ ଅବୈଧ ରୂପେ ରହୁଥିବା ବାଂଲାଦେଶୀ ମୁସଲମାନଙ୍କ ହାତ ଥିବା ଜଣା ପଡିଛି ।
ସୀଲମପୁର ହିଂସାକୁ ବାଂଲାଦେଶୀ ମୁସଲମାନ ଉସକାଇଥିବା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଖୁଲାସା କରିଛି । ଏହି ହିଂସା ପ୍ରଦର୍ଶନରେ ସାମିଲ ପ୍ରଦର୍ଶନକାରୀଙ୍କ ବହୁ ଅପରାଧିକ ରେକର୍ଡ ମଧ୍ୟ ରହିଛି । ଅସ୍ତ୍ରଶସ୍ତ୍ର ସହ କିଛି ଅପରାଧୀ ମାସ୍କ ପିନ୍ଧି ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିବା ଯାଞ୍ଚରୁ ଜଣାପଡିଛି । ଏହା ସ୍ପଷ୍ଟ ଯେ ନାଗରିକତା ସଂଶୋଧନ ଆଇନ ଯୋଗୁଁ ବହୁ ସଂଖ୍ୟକ ବାଂଲାଦେଶୀ ମୁସଲମାନ ପ୍ରଭାବିତ ହେବେ । କାରଣ ସେମାନେ ଭାରତରେ ଅବୈଧ ରୂପେ ପ୍ରବେଶ କରିଛନ୍ତି ।
ଦିଲ୍ଲୀ ପୋଲିସର ଏସଆଇଟିକୁ ଦଙ୍ଗାର ଯାଞ୍ଚ ସମୟରେ ଜଣାପଡିଛି ଯେ ସୀଲମପୁର ଦଙ୍ଗାରେ ଅପରାଧିକ ରେକର୍ଡ ଥିବା 15 ବାଂଲାଦେଶୀ ସାମିଲ ଥିଲେ । ବର୍ତ୍ତମାନ ଏସଆଇଟି ଟିମ ବିରୋଧ ପ୍ରଦର୍ଶନର ଫଣ୍ଡିଂର ଯାଞ୍ଚ କରିବାକୁ ପ୍ରୟାସ କରୁଛି । ମାମଲାରେ ଅଦାଲତର ଅନୁମତି ନେବା ପରେ ଏସଆଇଟି ତିହାଡ ଜେଲରେ ବନ୍ଦୀ ଥିବା ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପାଇଁ ପ୍ରସ୍ତୁତ ହେଉଛି ।