ବରନାଲା(ପଞ୍ଜାବ): ସର୍ବଦା ନୀରିହ ଓ ଅସହାୟଙ୍କୁ ସାହାଯ୍ୟ କରୁଥିବା ମଣିଷ ପାଇଁ ଭଗବାନଙ୍କ ଦୁଆର ସବୁବେଳେ ଖୋଲା ରହିଥାଏ । ଆଉ ଏହି ଉକ୍ତି ପଞ୍ଜାବର ବରନାଲା ଜିଲ୍ଲା ଅନ୍ତର୍ଗତ ନାରାୟଣଗଡ ସୋହିୟା ଗାଁରେ ଦୃଷ୍ଟିବାଧିତଙ୍କ ପାଇଁ ପରିଚାଳିତ ଆଶ୍ରୟଗୃହର ମୁଖ୍ୟ କାର୍ଯ୍ୟବାହକ ବାବା ସୁବା ସିଂହଙ୍କ ପାଇଁ ପ୍ରଜୁଯ୍ୟ । ସେ ନିଜେ ଦୃଷ୍ଟିବାଧିତ, ସେମାନଙ୍କୁ ଦେଖିବାକୁ ଅସମର୍ଥ ହେଲେ ପିଲାଙ୍କ ଆଶା ଏବଂ ଆକାଂକ୍ଷା ପାଇଁ ଯେମିତି ସର୍ବଦା ଆଖି ଖୋଲି ଚାହିଁଛନ୍ତି ବାବା ସୁବା ସିଂହ ।
ଦିବ୍ୟାଙ୍ଗଙ୍କ ପାଇଁ ଥିବା ଏହି ଆଶ୍ରମ ସ୍ଥାନୀୟ ଅଞ୍ଚଳରେ 'ନେତ୍ରହୀନ ଆଶ୍ରମ' ନାଁରେ ଜଣାଶୁଣା । ଏହି ଆଶ୍ରମ ପାଖରେ ନିଜସ୍ବ ଆୟ ସ୍ରୋତ ନାହିଁ । ସ୍ଥାନୀୟ ଲୋକ ଏବଂ ପଞ୍ଜାବୀ ପ୍ରବାସୀଙ୍କ ସହଯୋଗରେ ଏହା ଚାଲିଥାଏ । ଆଉ ସେହି ଦାନ ଅର୍ଥରୁ ହିଁ ଆବଶ୍ୟକତା ପୂରଣ ହୁଏ । ଏହି ଆଶ୍ରମ ଦୃଷ୍ଟିବାଧିତ, ମାନସିକ ତଥା ଶାରିରୀକ ଅକ୍ଷମ ଅସହାୟଙ୍କ ଭବିଷ୍ୟତକୁ ଏକ ନୂଆ କିରଣ ଏବଂ ଦିଗ ଦେଖାଇଥାଏ । ପ୍ରାୟ 20 ବର୍ଷ ପୂର୍ବେ ସୁବା ସିଂହ ଏହି ଆଶ୍ରମକୁ ଏକ ଖାଲି ଜମିରେ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଆଶ୍ରମ 50 ପିଲାଙ୍କ ଭବିଷ୍ୟତ ସଜାଡୁଛି ।
ଏଠାରେ ଚାରିଟେବୁଲ୍ ଟ୍ରଷ୍ଟରୁ ମିଳୁଥିବା ଦାନ ଅର୍ଥର ଅପବ୍ୟବହାରର ଖବର ନାହିଁ । ତେଣୁ ଏହି ଆଶ୍ରମ ଗୃହରେ ଥିବା ଦୃଷ୍ଟିବାଧିତ ଏବଂ ଅନ୍ୟ ଅସହାୟଙ୍କ ଦେଖାଶୁଣା କରିବାର ଉପାୟ ପ୍ରଶଂସନୀୟ । ଏଠାରେ ଥିବା ପିଲାମାନଙ୍କ ଠାରୁ କିଛି ନିଆଯାଏ ନାହିଁ, ବରଂ ସେମାନଙ୍କ ପାଇଁ ପ୍ରତ୍ୟେକ ସେବା ମାଗଣା ।
ଆଶ୍ରମର ଏହି ଅନ୍ତେବାସୀଙ୍କୁ କେବଳ ଯେ ମୌଳିକ ସୁବିଧା ଯୋଗାଇ ଦିଆଯାଏ ତାହା ନୁହେଁ, ପାରମ୍ପରିକ ସ୍କୁଲିଂ ଶିକ୍ଷା ସହ ଗୁରୁବାଣୀ ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକଳାପର ମଧ୍ୟ ତାଲିମ ଦିଆଯାଏ । ଦୃଷ୍ଟିବାଧିତଙ୍କୁ ବ୍ରେଲି ସିଷ୍ଟମ ସାହାଯ୍ୟରେ ଶିକ୍ଷା ଦିଆଯାଇଥାଏ ।
ଆଶ୍ରମର ଉପର ମହଲା ଶ୍ରୀ ଗୁରୁଗ୍ରନ୍ଥ ସାହେବଙ୍କୁ ସମର୍ପିତ । ଯେଉଁଠାରେ ପ୍ରତିଦିନ ଗୁରୁଗ୍ରନ୍ଥ ସାହିବଙ୍କ ପବିତ୍ର ପଂକ୍ତି ପାଠ କରନ୍ତି ଆଶ୍ରମର ଅନ୍ତେବାସୀ । ଆଶ୍ରମ ସହିତ ଜଡିତ ଲୋକ ସେମାନଙ୍କ ଖୁସିର ମୂହୁର୍ତ୍ତଗୁଡିକ ମଧ୍ୟ ଏମାନଙ୍କ ସହ ବାଣ୍ଟିଥାନ୍ତି । ଆଶ୍ରମକୁ ସଠିକ୍ ଭାବରେ ପରିଚାଳିତ କରିବାକୁ ଆଖପାଖ ଗାଁର ଲୋକେ ଏକ ଟ୍ରଷ୍ଟ ମଧ୍ୟ ଗଠନ କରିଛନ୍ତି । ଏହି ଆଶ୍ରମକୁ 'ଗୁରୁଦ୍ବାରା ଚନ୍ଦୁଆନା ସାହିବ' ମଧ୍ୟ କୁହାଯାଏ । ବାସ୍ତବରେ ଏହି ଆଶ୍ରମ ଅସହାୟଙ୍କୁ ସାହାଯ୍ୟ କରିବା ସହ ଆତ୍ମନିର୍ଭର କରି ମହାନ ଶିଖ ଗୁରୁଙ୍କ ନୀତି ଅନୁସରଣ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ