ଗୌହାଟୀ: ଗୁରୁବାର ଆସାମ ସରକାର କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଠାରେ ତିନୋଟି ନୂତନ କ୍ଷେତ୍ର ଯୋଡିବାକୁ ଅନୁମୋଦନ କରିଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ, ସରକାର ଉଦ୍ୟାନରେ ସପ୍ତମ, ଅଷ୍ଟମ ଏବଂ ନବମ ପରିବର୍ଦ୍ଧିତ ଅଞ୍ଚଳକୁ ଅନୁମୋଦନ କରିଛନ୍ତି, ଯାହା ଏହାର ଏକ ଶିଙ୍ଗିଆ ରାଇନୋ ଏବଂ ବାଘ ଜନସଂଖ୍ୟା ପାଇଁ ପ୍ରସିଦ୍ଧ ଏନେଇ ସରକାର ଏକ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ଏହି ପରିବର୍ଦ୍ଧିତ ଅଞ୍ଚଳରେ ଅନୁପ୍ରବେଶ ହଟାଯାଇଥିବା କ୍ଷେତ୍ର ଓ ନଦୀବନ୍ଧ ଦ୍ବୀପପୁଞ୍ଜରେ ଉପଯୁକ୍ତ ବନ୍ୟଜନ୍ତୁ ବାସସ୍ଥାନ ଅନ୍ତର୍ଭୁକ୍ତ ରହିଛି । ଏହା ଭବିଷ୍ୟତରେ ମାନବ-ବନ୍ୟଜନ୍ତୁ ମଧ୍ୟରେ ନକାରାତ୍ମକ ଆଦାନପ୍ରଦାନକୁ କମାଇବା ସହ ଉପଯୁକ୍ତ ବନ୍ୟପ୍ରାଣୀ ସଂରକ୍ଷଣରେ ସହାୟକ ହେବ । ସପ୍ତମ ପରିବର୍ଦ୍ଧିତ ଅଞ୍ଚଳ 176 ହେକ୍ଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ରହିଛି । ଏଥିରେ ନାଗାଓଁ ଜିଲ୍ଲାର ଦେଓସୁର, ପାଲକୋୱା, ଦେଓସୁର ହିଲ ସଂରକ୍ଷିତ ରିଜର୍ଭ ଜଙ୍ଗଲକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଅଷ୍ଟମ ପରିବର୍ଦ୍ଧିତ ଅଞ୍ଚଳ ମଧ୍ୟ ନାଗାଓଁ ଜିଲ୍ଲାର 307 ହେକ୍ଟର ଅଞ୍ଚଳରେ ବ୍ୟାପିଛି ଏବଂ ଜିଲ୍ଲାର ବାନ୍ଦରଡୁବି ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି । ସୋନିଟପୁର ଜିଲ୍ଲାର ମୋକୁଆ ଚାପୋରିର 2570 ହେକ୍ଟର ଅଞ୍ଚଳରେ ବ୍ୟାପିଥିବା ନବମ ପରିବର୍ଦ୍ଧିତ କ୍ଷେତ୍ର ତିନୋଟି ପରିବର୍ଦ୍ଧିତ ଅଞ୍ଚଳ ମଧ୍ୟରୁ ବୃହତ୍ତମ ବୋଲି ଅଧିକାରୀମାନେ କହିଛନ୍ତି । 6ଟି ପରିବର୍ଦ୍ଧିତ ଅଞ୍ଚଳକୁ ନେଇ ସମୁଦାୟ ଉଦ୍ୟାନ କ୍ଷେତ୍ର 885 ବର୍ଗ କିଲୋମିଟର ଥିଲା । ଯାହାର 483 ବର୍ଗ କିଲୋମିଟର ପୂର୍ବ ଆସାମ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଏବଂ 402 ବର୍ଗ କିଲୋମିଟର ବିଶ୍ବନାଥ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିଲା ।
ତିନୋଟି ନୂତନ ପରିବର୍ଦ୍ଧିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିବାର ଅନ୍ତିମ ବିଜ୍ଞପ୍ତି ପରେ ପାର୍କର ସମ୍ପୂର୍ଣ୍ଣ କ୍ଷେତ୍ର 915.53 ବର୍ଗ କିମି ହେବ । କାଜିରଙ୍ଗା ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ପି.ଶିବକୁମାର ବନ୍ୟଜନ୍ତୁ ସଂରକ୍ଷଣରେ ସହାୟତା କରିଥିବାରୁ ରାଜ୍ୟ ସରକାର ଏବଂ ସମସ୍ତ ଷ୍ଟେକ ହୋଲ୍ଡରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ