ଗ୍ବୌହାଟୀ: ଆସାମ ବନ୍ୟାରେ ପ୍ରଭାବିତ ହୋଇଛି ଅନେକ ଜନଜୀବନ । ସଙ୍ଗୀନ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ଫଳରେ ମୃତ୍ୟୁ ସଂଖ୍ୟା 59କୁ ବୃଦ୍ଧି ପାଇଛି । ଏଥିରେ 28 ଜିଲ୍ଲାର 33ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ଗତ ଏକ ମାସ ହେବ ରାଜ୍ୟବାସୀ ବହୁ ସମସ୍ୟା ଭିତରେ ଜୀବନ ଅତିବାହିତ କରୁଛନ୍ତି ।
ତେବେ ଏହି ବନ୍ୟାରେ କେବଳ ମଣିଷ ମାନେ ନୁହଁନ୍ତି ଗୃହପାଳିତ ଓ ବନ୍ୟଜନ୍ତୁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବନ୍ୟାରେ 20.11ଲକ୍ଷରୁ ଉର୍ଦ୍ଧ୍ବ ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ କାଜିରଙ୍ଗା ଜାତୀୟ ଉଦ୍ୟାନ 80 ପ୍ରତିଶତ ପାଣିରେ ବୁଡିଯାଇଛି । ଯାହାଫଳରେ ଏଥିରେ 66 ପଶୁଙ୍କର ମୃତ୍ୟୁ ହୋଇଥିବାବେଳେ, 170ଙ୍କୁ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କାଜିରଙ୍ଗା ଜାତୀୟ ଉଦ୍ୟାନର ଡାଇରେକ୍ଟର ପି.ଶିବକୁମାର ।
ଅନ୍ୟପଟେ ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରହ୍ମପୁତ୍ର ନଦୀ । 24 ଜିଲ୍ଲାରେ 517 ରିଲିଫ କ୍ୟାମ୍ପ କରାଯାଇଛି, ଯେଉଁଠାରେ 44,000 ଲୋକେ ଆଶ୍ରୟ ନେଇଛନ୍ତି । ବନ୍ୟା ପାଣି ଜମିରେ ପ୍ରବେଶ କରିବା ଫଳରେ 128,495 ହେକ୍ଟର ଫସଲ ମଧ୍ୟ ନଷ୍ଟ ହୋଇଛି ।