ହରିୟାଣା: ଚଳିତ ମାସ 21ରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏହାସହ 24 ତାରିଖରେ ଫଳ ମଧ୍ୟ ପ୍ରକାଶ ପାଇବ । ହରିୟାଣାରେ ଶାସନ କରୁଥିବା ବିଜେପି କ୍ଷମତା ବଜାୟ ରଖିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛି । ତେବେ ଏହି ସମୟରେ କଂଗ୍ରେସ ଭିତରେ ଫାଟ ସୃଷ୍ଟି ହୋଇଛି ।
ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଆଜି କଂଗ୍ରେସକୁ ବାଏ ବାଏ କହିଛନ୍ତି ରାଜ୍ୟର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅଶୋକ ତନୱର । ଟିକେଟ ବଣ୍ଟାକୁ ନେଇ ଦୀର୍ଘଦିନ ଧରି ଦଳ ଭିତରେ ଲାଗିରହିଥିବା ଛକାପଞ୍ଝା ପରେ ଦଳରୁ ଇସ୍ତାଫା ଦେଇଛନ୍ତି ଅଶୋକ । ଅଶୋକ କହିଛନ୍ତି କଂଗ୍ରେସ ଦଳ ହିଁ ନିଜେ ଦେଶରୁ କଂଗ୍ରେସ ମୁକ୍ତ କରୁଛି । ଦଳରେ କିଛି ନେତା ଅଛନ୍ତି ଯେଉଁମାନେ ପୁରା ପାଞ୍ଚବର୍ଷ ବିଦେଶରେ ରହନ୍ତି ଆଉ ନିର୍ବାଚନ ଆସିଗଲେ ଅଚାନକ ଆବିର୍ଭାବ ହୁଅନ୍ତି ।
କିନ୍ତୁ ଆମ ପରି ଯେଉଁ ନେତାମାନେ ଦଳ ପାଇଁ କାମ କରୁଛନ୍ତି, ସେମାନଙ୍କୁ ସୁଯୋଗ ମିଳୁନାହିଁ । ଯଦିବି ସୁଯୋଗ ମିଳିଲା ଅନେକ ସମସ୍ୟା ସୃଷ୍ଟି କରିଦିଆଯାଉଛି । ଆମର ଭରଷା ଥିଲା ଦଳ ନ୍ୟାୟ କରିବ କିନ୍ତୁ ଦଳ ଅନ୍ୟାୟ କରିବାରେ ଲାଗିଛି । ରାହୁଲ ଗାନ୍ଧୀଙ୍କ ନିକଟତର ନେତାଙ୍କୁ ଦଳରେ ଅଣଦେଖା କରାଯାଉଛି ବୋଲି ଅଶୋକ ଅଭିଯୋଗ କରିଛନ୍ତି । ଅଶୋକ ତନୱର ଦଳ ଛାଡିବା କଂଗ୍ରେସ ପାଇଁ ବଡ ଧରଣର କ୍ଷତି ହୋଇପାରେ ବୋଲି ହରିୟାଣାରେ ଆଲୋଚନା ଜୋର ଧରିଛି ।