ହାଇଦ୍ରାବାଦ: ସିଏଏ ଓ ଏନଆରସିକୁ ନେଇ ଦେଶରେ ବିବାଦ ଚାଲିଥିବା ବେଳେ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ପ୍ରତିବାଦର ସ୍ବର ଶୁଣିବାକୁ ମିଳୁଛି । ଏବେ ଏଥିରେ ସାମିଲ ହୋଇଛନ୍ତି ଅନୁପମ ଖେର୍ ଓ ନସିରୁଦ୍ଦିନ ଶାହ । ନିକଟରେ ଏକ ସାକ୍ଷାତକାରରେ ନସିରୁଦ୍ଦିନ ଶାହା ସିଏଏ ବିଷୟରେ ଆଲୋଚନା କରିବା ସମୟରେ ଅନୁପମ ଖେରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଏନେଇ ସୋସିଆଲ ମିଡିଆରେ ଅନୁପମ ଖେର ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି ।
ନସିରୁଦ୍ଦିନ କହିଥିଲେ, ‘ଯଦି ଭାରତରେ 70 ବର୍ଷ ରହିବା ପରେ ନାଗରିକତା ପ୍ରମାଣ କରିବାକୁ ପଡୁଛି ତେବେ ପ୍ରମାଣ ଦେବା ପାଇଁ ଆଉ କେଉଁ କାଗଜପତ୍ର ରହିଛି ମୁଁ ଜାଣିନି । ତେବେ ଏହାକୁ ନେଇ ମୁଁ କାହାକୁ ଡରିନି କିମ୍ବା ବିଚଳିତ ନୁହେଁ, ମାତ୍ର ନିଶ୍ଚିତ ମୁଁ ରାଗିଛି ’ । ଅନ୍ୟପକ୍ଷେ ଟ୍ବିଟ କରି ସିଏଏକୁ ନେଇ ଅନୁପମ ଖେରଙ୍କ ବୟାନ ଅଧିକ ଦେଖିବାକୁ ମିଳୁଥିବା ନସିରୁଦ୍ଦିନ ପ୍ରକାଶ କରିଥିଲେ । ତେବେ ଅନୁପମଙ୍କ କଥାକୁ ଗମ୍ଭୀରତାର ସହ ନେବା ଜରୁରୀ ନୁହେଁ ବୋଲି ମଧ୍ୟ ସେ କହିଥିଲେ। ସେ ଜଣେ ଜୋକର୍ । ଏନଏସଡି, ଏନଏଫଆଇଆଇ ସମୟରେ ତାଙ୍କ ସହ ମିଶିଥିବା ଲୋକ ତାଙ୍କ ବିଷୟରେ ଜାଣିଥିବାର ସେ କହିଛନ୍ତି । ଆମକୁ ଆମ ଦାୟିତ୍ବ ବିଷୟରେ ଜଣେଇବା ଦରକାର ନାହିଁ ଆମେ ଆମ ଦାୟିତ୍ବ ଜାଣୁ ବୋଲି ସେ କହିଛନ୍ତି ।
ଏହାକୁ ନେଇ ଅନୁପମ ଖେର ମଧ୍ୟ ଏକ ଭିଡିଓ ସେୟାର କରିଥିଲେ । ଏଥିରେ ସେ ନସିରୁଦ୍ଦିନଙ୍କୁ ନିରାଶ ବ୍ୟକ୍ତି ବୋଲି କହିଛନ୍ତି । ସେ ଭିଡିଓରେ ପ୍ରଥମେ ନସିରୁଦ୍ଦିନଙ୍କୁ ନମସ୍କାର କରି ତାଙ୍କୁ ସମ୍ମାନ କରନ୍ତି ବୋଲି ଜଣାଇଥିଲେ ଓ ନସିରୁଦ୍ଦିନଙ୍କ କଥାକୁ ଜମା ବି ଗମ୍ଭୀରତାର ସହ ନେଇନଥିବା କହିଥିଲେ । ସେ କହିଥିଲେ, ‘ ମୁଁ ଆପଣଙ୍କୁ କେବେ ଖରାପ କହିନି । ଆପଣଙ୍କୁ ଏତେ ସଫଳତା ମିଳିବା ପରେ ବି ଆପଣ ପୁରା ଜୀବନ ନୈରାଶ୍ୟରେ ବିତାଇଛନ୍ତି । ଯଦି ଆପଣ ରାଜେଶ ଖନ୍ନା, ଅମିତାଭ ବଚ୍ଚନ ଓ ବିରାଟ କୋହଲିଙ୍କୁ କ୍ରିଟିସାଇଜ୍ କରିପାରିଛନ୍ତି ତେବେ ମୁଁ ଏକ ଭଲ ସଙ୍ଗତିରେ ଅଛି । ତେବେ ଏଥିରେ ଆପଣଙ୍କର କୌଣସି ଭୁଲ ନାହିଁ । ମାତ୍ର ଦୀର୍ଘ ବର୍ଷ ଧରି ଆପଣ ଯେଉଁ ପଦାର୍ଥର ସେବନ କରୁଛନ୍ତି ଏହା ତାହାର ପରିଣାମ ’ ।