ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଜୁନ୍ 20 ସୁଦ୍ଧା ପ୍ରତ୍ୟେକ ଦିନ 18 ହଜାର କୋରୋନା ପରୀକ୍ଷା କରିବେ । ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ କୁମାର ଗୁପ୍ତାଙ୍କ ଅନୁଯାୟୀ ଦିଲ୍ଲୀ ସରକାର ଜୁନ 20 ସୁଦ୍ଧା ପ୍ରତ୍ୟେକ ଦିନ 18000 କୋରୋନା ପରୀକ୍ଷା ଆରମ୍ଭ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଆଗାମୀ ଜୁନ୍ 20 ସୁଦ୍ଧା ଦିଲ୍ଲୀ ସରକାର ପ୍ରତ୍ୟେକ ଦିନ 18000 କୋରୋନା ପରୀକ୍ଷା କରିବେ ଏବଂ କଣ୍ଟେନମେଣ୍ଟ ଜୋନରେ ଡୋର ଟୁ ଡୋର୍ ଟ୍ରେସିଙ୍ଗ ଏବଂ ମ୍ୟାପିଙ୍ଗ୍ କରାଯିବ ବୋଲି କୋରୋନାକୁ ନେଇ ହୋଇଥିବା ବୈଠକ ପରେ ଆଦେଶ କୁମାର ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ।
ଏଥିସହ ସେ କହିଛନ୍ତି, ଏହି ସର୍ବଦଳୀୟ ବୈଠକରେ ବିଜେପି ଦାବି କରିଛି ଯେ କୋରୋନା ପରୀକ୍ଷା ସମୟରେ 50 ପ୍ରତିଶତ ଶୁଳ୍କ ଛାଡ କରାଯାଉ। ଏହି ଦାବି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ଅନୁମୋଦନ କରାଯାଇଛି।
ଏହାଛଡା ସେ କହିଛନ୍ତି, ବୈଠକ ସମୟରେ ଶାହା ସମସ୍ତ ରାଜନୈତିକ ଦଳକୁ ଏହି ସଙ୍କଟ ସମୟରେ ସେମାନଙ୍କ ମତଭେଦକୁ ଦୂରେଇ ରଖିବାକୁ ଏବଂ କୋରୋନା ସହିତ ଲଢିବାକୁ ଏକାଠି ହୋଇ ରହିବାକୁ ଅନୁରୋଧ କରିଥିଲେ। ଏହି ବୈଠକରେ ବିଜେପିର ବରିଷ୍ଠ ଅଧିକାରୀଙ୍କ ସମେତ କଂଗ୍ରେସ ଏବଂ ଆପର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।