ସିଡନୀ: ଚୀନ ଅପେକ୍ଷା ଭାରତକୁ ଅତ୍ୟଧିକ ସମର୍ଥନ କରନ୍ତି ଆମେରିକୀୟ ନାଗରିକ । ଏହା ସହିତ ସମ୍ଭାବ୍ୟ ଭାରତ-ଚୀନ ସାମରିକ ତଥା ଅର୍ଥନୈତିକ ବିବାଦରେ ଆମେରିକା ସରକାର ନୂଆଦିଲ୍ଲୀକୁ ସମର୍ଥନ କରନ୍ତୁ ବୋଲି ସେମାନେ ଚାହାଁନ୍ତି । ଏନେଇ ଅଷ୍ଟ୍ରେଲିଆ ଭିତ୍ତିକ ଥିଙ୍କ ଟ୍ୟାଙ୍କ ଲୋଇ ଇନଷ୍ଟିଚ୍ୟୁଟ୍ର ଏକ ସର୍ଭେରେ ପ୍ରକାଶ ପାଇଛି ।
ଲୋ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଦି ଇଣ୍ଟରପ୍ରେଟରରେ ପ୍ରକାଶିତ ଏହି ସର୍ଭେରେ ଚୀନ ଏବଂ ଭାରତ ମଧ୍ୟରେ ସମ୍ଭାବ୍ୟ ସାମରିକ କିମ୍ବା ଅର୍ଥନୈତିକ ବିବାଦକୁ ନେଇ ଆମେରିକାର ଜନସାଧାରଣଙ୍କ ମତ ରଖିଛନ୍ତି । 1,012 ଆମେରିକୀୟଙ୍କୁ ନେଇ ଜୁଲାଇ 7 ରେ ଏକ ୱେବ୍ ସର୍ଭେ କରାଯାଇଥିଲା। ତେବେ ଥିଙ୍କ ଟ୍ୟାଙ୍କ ଦ୍ବାରା ପ୍ରକାଶିତ ଫଳାଫଳ ଅନୁଯାୟୀ, ଯଦି ଭାରତ ଏବଂ ଚୀନ ମଧ୍ୟରେ ସାମରିକ ବିବାଦ ହୁଏ ତେବେ ଏଥିରେ ଆମେରିକା ସମର୍ଥନ କରିବ ନାହିଁ ବୋଲି 63.6 ପ୍ରତିଶତ ଉତ୍ତରଦାତା ମତ ରଖିଛନ୍ତି । ଆଉ ଯେଉଁମାନେ ଗୋଟିଏ ଦେଶକୁ ସମର୍ଥନ କରିବାକୁ ବାଛିଥିଲେ ସେମାନେ ଭାରତ ସପକ୍ଷରେ ଥିଲେ ।
ଭାରତ ଏବଂ ଚୀନ ମଧ୍ୟରେ ସାମରିକ ବିବାଦ ହେଲେ ଆମେରିକା ଭାରତକୁ ସମର୍ଥନ କରୁ ବୋଲି 32.6 ପ୍ରତିଶତ ଉତ୍ତରଦାତା ମତ ପ୍ରକାଶ କରିଛନ୍ତି । ସେହିପରି କେବଳ 3.8 ପ୍ରତିଶତ ଲୋକ ଏଥିରେ ଚୀନକୁ ସମର୍ଥନ କରୁଥିବା ଜାଣିବାକୁ ମିଳିଛି । ସେହିପରି ଆର୍ଥିକ ବିବାଦ ପାଇଁ 36.3 ପ୍ରତିଶତ ଆମେରିକୀୟ ଭାରତ ପାଇଁ ଆମେରିକାର ସମର୍ଥନକୁ ପସନ୍ଦ କରିଛନ୍ତି । ସେପଟେ କେବଳ 3.1 ପ୍ରତିଶତ ଉତ୍ତରଦାତା ଚୀନ ପାଇଁ ଆମେରିକାର ସମର୍ଥନକୁ ପସନ୍ଦ କରିଛନ୍ତି ।
ଭାରତ ଏବଂ ଚୀନ ମଧ୍ୟରେ ଜାରି ତିକ୍ତତା ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଏନେଇ ଥିଙ୍କ ଟ୍ୟାଙ୍କ କହିଛି ଯେ, ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ବ୍ୟାପକ କାର୍ଯ୍ୟକଳାପ ବିଶେଷତଃ ହଂକଂରେ ଗଣତାନ୍ତ୍ରିକ ପ୍ରୟାସକୁ ବାଧା ଦେବ ଏବଂ ଏହା ତାଇୱାନ ଉପରେ ଚାପ ପକାଇବ । ସେହିଭଳି ଆମେରିକୀୟମାନଙ୍କୁ ଯେକୌଣସି ଦ୍ୱନ୍ଦ୍ୱରେ ଭାରତ ଉପରେ ଅଧିକ ଅନୁକୂଳ ଦୃଷ୍ଟି ରଖିବାକୁ ପ୍ରେରିତ କରିପାରେ।