ନୂଆଦିଲ୍ଲୀ: କୋଭିଡ-19 ଧର୍ମ ଦେଖି ଆଟାକ୍ କରିନଥାଏ । ଅସାବଧାନତା ଯୋଗୁଁ ଆମେ ଏହାର ଶିକାର ହୋଇଥାଉ । ଏଥିପାଇଁ ଯିଏ ଆମ ଚିକିତ୍ସା କରୁଛି ତାଙ୍କୁ ସମ୍ମାନ ଦେବା ଉଚିତ ବୋଲି କଂଗ୍ରେସ ନେତା ଅହମ୍ମଦ ପଟେଲ କହିଛନ୍ତି ।
ନିକଟରେ ମଧ୍ୟପ୍ରଦେଶରେ କିଛି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରିବା ସହ ପଥର ଫିଙ୍ଗିଥିଲେ । ଯାହାକୁ ସବୁ ମହଲରେ ନିନ୍ଦା କରାଯାଇଥିଲା । ତେବେ ଏହାକୁ ନେଇ କଂଗ୍ରେସ ନେତା ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଭୂତାଣୁ ଧର୍ମ ଦେଖି ଆଟାକ୍ କରେନି । ଆମେ ମହାମାରୀ ବିରୋଧରେ ଲଢୁଛୁ । ପରସ୍ପର ସହ ଲଢି କିଛି ଲାଭ ନାହିଁ । ଏପରି ସମୟରେ ରାଜନୀତି ମଧ୍ୟ ନକରି ସମସ୍ତେ ଏକାଠି ହେବା ଉଚିତ ।
ସେହିପରି ଅହମ୍ମଦ ପଟେଲ କହିଛନ୍ତି ଯେ ସମସ୍ତ ଧାର୍ମିକ ଗୁରୁ ଓ ଧର୍ମଗୁରୁ ପ୍ରତି ଧର୍ମର ଲୋକଙ୍କୁ ବୁଝାଇବା ଦରକାର । ଗୁଜବରେ ବିଶ୍ବାସ ନକରି ସତ କଥାରେ ପରିଚାଳିତ ହୁଅନ୍ତୁ । ସେହିପରି ଆମ ଚିକିତ୍ସା କରୁଥିବା ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସମ୍ମାନ ଦିଅନ୍ତୁ । ଡାକ୍ତର, ପୋଲିସ ଯିଏ ଆମ ସୁରକ୍ଷାରେ ଅଛନ୍ତି ସେମାନଙ୍କୁ ସମ୍ମାନ ଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ସୌଜନ୍ୟ@ANI