ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ କଂଗ୍ରେସକୁ ପୁଣି ଥରେ ଟାର୍ଗେଟ କରିଛନ୍ତି କେନ୍ଦ୍ର ସଂଖ୍ୟାଳଗୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି। ଧାରା 370 ଉଚ୍ଛେଦ ହେବା ପରେ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀଙ୍କୁ ଏହାଯୋଗୁଁ ବହୁତ ବଡ ଝଟକା ଲାଗିଛି। ଏହି ଆଘାତ ଯୋଗୁଁ କଂଗ୍ରେସକୁ ଅଧିକ କଷ୍ଟ ଅନୁଭୂତ ହେଉଥିବାରୁ ଚିତ୍କାର କରୁଛି । ଏଥିରୁ ଆପଣ ବୁଝିପାରୁଥିବେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ସହ କଂଗ୍ରେସର କିଭଳି ସମ୍ପର୍କ ରହିଛି ।
ଏନେଇ ସେ କହିଛନ୍ତି ଯେ, ଗୋଟିଏ ପଟେ ଲଦାଖ, କାରଗିଲ, ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦ ହେବା ପରେ ଉତ୍ସବ ପାଳନ ହେଉଛି। ଅନ୍ୟପଟେ କଂଗ୍ରେସ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ଉଦ୍ଦେଶ୍ୟ ପାଇଁ କାମ କରୁଛି । ଏଭଳି କରି କଂଗ୍ରେସ ନିଜ ହାତରେ ଅଳ୍ପ କିଛି ବଞ୍ଚି ରହିଥିବା ନିଜ ଅସ୍ତିତ୍ବକୁ ହଟାଉଛି । ବର୍ତ୍ତମାନ ସମୟରେ କଂଗ୍ରେସ ଦେଶ ସହିତ ଛିଡା ହେବା ବଦଳରେ ଶତ୍ରୁ ଦେଶ ପାକିସ୍ତାନ ଓ ବିଚ୍ଛିନ୍ନତାବାଦୀଙ୍କ ସହ ସାମିଲ ହୋଇଯାଇଛି ।
ଗତ ଶୁକ୍ରବାର ହେଡଲେସ କଂଗ୍ରେସ ଏବେ ବ୍ରେନଲେସ ହୋଇଯାଇଛି ବୋଲି କହିଥିଲେ ନକଭି । ସେ କହିଛନ୍ତି କଂଗ୍ରେସକୁ ହେଡଲେସ କହିବାର ତାତ୍ପର୍ଯ୍ୟ ହେଉଛି ଦୀର୍ଘ ସମୟ ଧରି କଂଗ୍ରେସ ଦଳ ବିନା ଅଧ୍ୟକ୍ଷ ପଦରେ ଚାଲିଛି । ଆଉ ଧାରା 370 ଉଚ୍ଛେଦ ହେବା ପରେ ଦଳ ବ୍ରେନଲେସ ହୋଇଛି ।