ଫାଓଜିଆ କୁଫି ହେଉଛନ୍ତି ଜଣେ ସାମାଜିକ କର୍ମୀ, ଆଫଗାନିସ୍ତାନ ନ୍ୟାସନାଲ ଆସେଂବ୍ଲିର ସଦସ୍ୟ । ସେ ଜଣେ ଲେଖିକା ଓ ଆଫଗାନିସ୍ତାନର ବଦାକଶାନ ରାଜ୍ୟର ବାସିନ୍ଦା । ଆଫଗାନିସ୍ତାନରେ ମହିଳା ସଶକ୍ତିକରଣ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି କୁଫି । ସମାନ ଅଧିକାର ପାଇଁ ଦୀର୍ଘ ଦୁଇ ଦଶକର ସଂଘର୍ଷ । କୁଫିଙ୍କୁ ନୀରବ କରିବାକୁ ଅନେକ ଥର ହତ୍ୟା ଉଦ୍ୟମ କରାଯାଇଛି । ଶେଷ ଥର ପାଇଁ ଗତ ଅଗଷ୍ଟ ମାସରେ କାବୁଲରେ କୁଫିଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ସୌଭାଗ୍ୟବଶତଃ ସେ ବଂଚିଯାଇଥିଲେ ।
ଫାଓଜିଆ ବର୍ତମାନ ତାଲିବାନ ସହ ଶାନ୍ତି କଥାବାର୍ତାରେ ଭାଗ ନେବା ପାଇଁ କାତାର ରାଜଧାନୀ ଦୋହାରେ ଅଛନ୍ତି । ଇଟିଭି ଭାରତର ବିଲାଲ ଭଟ୍ଟଙ୍କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଫାଓଜିଆ କୁଫି ତାଲିବାନ ସହ ଚାଲିଥିବା ଶାନ୍ତି ପ୍ରକ୍ରିୟା ବାବଦରେ ଆଲୋଚନା କରିଥିଲେ ।
ବିଲାଲ – ଆଫଗାନିସ୍ତାନର ରାଜନୈତିକ ପ୍ରକ୍ରିୟାରେ ତାଲିବାନ କେବେ ବି ଆପଣଙ୍କୁ ଗୁରୁତ୍ୱ ବା ସମାନ ଅଧିକାର ଦେଇନାହିଁ । ଯେତେବେଳେ ଆପଣ ତାଲିବାନ ସହ ଶାନ୍ତି କଥାବାର୍ତା ସାମିଲ ହେବେ ବୋଲି ଶୁଣିରେଲ, ସେତେବେଳେ ଆପଣଙ୍କର ପ୍ରତିକ୍ରିୟା କଣ ଥିଲା ?
ଫାଓଜିଆ – ଜଣେ ଆଫଗାନିସ୍ତାନ ମହିଳା ଭାବେ ମୁଁ ତାଲିବାନ ସରକାର ଅମଳରେ ନିର୍ଯାତିତ ଓ ଶୋଷିତ ହୋଇଛି । ମହିଳାମାନଙ୍କୁ ମୌଳିକ ଅଧିକାରରୁ ବଂଚିତ କରାଯାଉଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ରାଜନୈତିକ ଅଧିକାରରୁ ମହିଳାମାନଙ୍କୁ ବଂଚିତ କରାଯାଉଥିଲା । ମହିଳାମାନେ ପୁଣି ଥରେ ଯୁଦ୍ଧର ପୀଡିତା ହୁଅନ୍ତୁ, ଏହା ଆମେ ଚାହୁଁନାହୁଁ । ତେଣୁ କଥାବାର୍ତା ଟେବୁଲରେ ମହିଳାମାନଙ୍କ ଉପସ୍ଥିତି ବେଶ୍ ଗୁରୁତ୍ୱପୂର୍ଣ୍ଣ । ତାଲିବାନ ସହ ଏଭଳି କଥାବାର୍ତାରେ ସାମିଲ ହେବା ସମଗ୍ର ଆଫଗାନିସ୍ତାନ ପାଇଁ ଏକ ଐତିହାସିକ ଘଟଣା । କାରଣ ଆଗରୁ ହୋଇଥିବା ସମସ୍ତ ଶାନ୍ତି କଥାବାର୍ତାରେ କେବଳ ପୁରୁଷମାନେ ସାମିଲ ହେଉଥିଲେ । ତେଣୁ ଏହି କଥାବାର୍ତାରେ ସାମିଲ ହୋଇଥିବାରୁ ମୁଁ ନିଜକୁ ଶକ୍ତିଶାଳୀ ମନେ କରୁଛି । ଏଥିସହ ଅନେକ ଦାୟିତ୍ୱବୋଧ ବି ରହିଛି ।
ବିଲାଲ – ମହିଳାମାନଙ୍କୁ ସମାନ ଅଧିକାର ଦେବା ଲାଗି ଆପଣ ପାର୍ଲାମେଂଟ ଭିତରେ ଓ ବାହାରେ ଆଲୋଚନା କରିଆସୁଛନ୍ତି । ଏହି କଥାବାର୍ତାରୁ ଏ ଦିଗରେ ସଫଳତା ମିଳିବ ବୋଲି ଆପଣ କେତେଦୂର ଆଶାବାଦୀ? ଶିକ୍ଷା ଓ ମହିଳାଙ୍କ ବିକାଶ କ୍ଷେତ୍ରରେ ମହିଳାଙ୍କୁ ସେମାନଙ୍କ ଅଧିକାର ମିଳିପାରିବ ବୋଲି ଆପଣ ଆଶା କରୁଛନ୍ତି କି ?
ଫାଓଜିଆ -ପ୍ରଥମେ ଆମକୁ ସ୍ପଷ୍ଟ କରିବାକୁ ହେବ ଯେ, ଆଫଗାନିସ୍ତାନ ଇସଲାମିକ ଚରମବାଦ ବା ଉଦାରବାଦୀ ଚିନ୍ତାଧାରା ଦ୍ୱାରା ସଂଖ୍ୟାଗରିଷ୍ଠ ଭାବେ ପରିଚାଳିତ ହେଉନାହିଁ । ଆମକୁ ଏକ ମଧ୍ୟମପନ୍ଥୀ ମାର୍ଗ ଓ ମଧ୍ୟମପନ୍ଥୀ ଇସଲାମିକ ସଂଜ୍ଞା ଆପଣାଇବାକୁ ହେବ । ତେଣୁ ଆମେ ଏପରି ଏକ ଆଫଗାନିସ୍ତାନ ପାଇଁ ଲଢେଇ କରୁଛୁ, ଯେଉଁଠି କି ଆମେ ଆମ ପଡୋଶୀଙ୍କ ସହ ଶାନ୍ତିରେ ରହିପାରିବୁ । ଆମକୁ ଏପରି ଏକ ଆଫଗାନିସ୍ତାନ ଦରକାର, ଯେଉଁଠି ସମାଜର ସବୁ ଶ୍ରେଣୀର ଲୋକଙ୍କୁ ଉଚିତ ଓ ସମାନ ପ୍ରତିନିଧିତ୍ୱ ମିଳିପାରିବ । ଆଫଗାନ ସମାଜର ବିକାଶପାଇଁ ନାରୀ ଶିକ୍ଷା ଅପରିହାର୍ଯ୍ୟ । ଶିକ୍ଷାର ବିକାଶ ନ ହେଲେ ପ୍ରଗତି ନିଶ୍ଚିତ ନୁହେଁ ।
ଆମେ ବର୍ତମାନ ଦୋହାରେ ଅଛୁ । ଶାନ୍ତି ଆଲୋଚନାର ନୀତିନିୟମ ଓ ଅନ୍ୟ ବୈଷୟିକ ପ୍ରସଙ୍ଗରେ ଆଲୋଚନା କରୁଛୁ । କାରଣ ପ୍ରଥମେ ଆମେ ଭିତି ଦୃଢ କରିବା ଜରୁରୀ । ଭିତି ଠିକ୍ ହୋଇଗଲେ କଥାବାର୍ତା ସହଜ ଓ ସରଳ ହୋଇପାରିବ । ମହିଳା ଅଧିକାର ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କଥାବାର୍ତା ଆରମ୍ଭରୁ ଏ ପ୍ରସଙ୍ଗରେ ସମ୍ଭବତଃ ଆଲୋଚନା ହୋଇପାରିବ ନାହିଁ । ଗୋଟିଏ ଚିନ୍ତାଧାରର ପ୍ରଭାବ ଯେପରି ନ ରହିବ, ସେ ନେଇ ଆମେ କିଛି ପ୍ରମୁଖ ପ୍ରସଙ୍ଗ ଉପସ୍ଥାପନ କରିବୁ । ଆମେ ଏଭଳି ଏକ ବାତାବରଣ ସୃଷ୍ଟି କରିବାକୁ ଚାହୁଁ, ଯେଉଁଠି ସମସ୍ତେ ଶାନ୍ତି ଓ ସମୃଦ୍ଧିର ସହ ଜୀବନଯାପନ କରିପାରିବେ ।
ବିଲାଲ- ଆରମ୍ଭରୁ ହିଁ ତାଲିବାନ ସବୁ ଦଳକୁ ସ୍ପଷ୍ଟ କରିଦେଇଛି ଯେ, ସେମାନେ ଆଫଗାନିସ୍ତାନରେ ଇସଲାମିକ ଆଇନ ଚାହାନ୍ତି । ଏ ବାବଦରେ ଅନ୍ୟ ଦଳଗୁଡିକର ଆଭିମୁଖ୍ୟ କଣ ?
ଫାଓଜିଆ -ଆଫଗାନିସ୍ତାନ ହେଉଛି ଏକ ମୁସଲିମ ରାଷ୍ଟ୍ର । ଆମ ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଇସଲାମର ପରିପନ୍ଥୀ ହେଉଥିବା ଅନ୍ୟ କୌଣସି ଆଇନ୍ ଆଫଗାନିସ୍ତାନରେ ପ୍ରଣୟନ ହୋଇପାରିବ ନାହିଁ । ତେବେ ସଂଖ୍ୟାଲଘୁମାନଙ୍କୁ ବି ସେମାନଙ୍କ ଧର୍ମ ପାଳନର ସ୍ୱାଧୀନତା ଦିଆଯାଇଛି । ଏଠାରେ ବିବିଧତା ଓ ସମନ୍ୱୟତାର ପ୍ରଶ୍ନ ଉଠୁଛି । ଗୋଟିଏ ନିର୍ଦ୍ଦିଷ୍ଟ ଚିନ୍ତାଧାରାକୁ ଥୋପିଦେଲେ ତାହା କେଉଁଠି ବି କାମ କରେ ନାହିଁ । ଆମେ ଏପରି ଏକ ଆଫଗାନିସ୍ତାନ ପାଇଁ ସଂଘର୍ଷ କରୁଛୁ, ଯେଉଁଠି କି ସମସ୍ତଙ୍କୁ ଭୋଟଦେବାର ଅଧିକାର ରହିବ । ଶାନ୍ତିବାର୍ତାରେ ଏଭଳି ଏକ ଆଫଗାନିସ୍ତାନ ହାସଲ ପାଇଁ ଆମେ ଆଶା କରୁଛୁ ।
ବିଲାଲ- ଆପଣ ବିବିଧତା ଓ ସମନ୍ୱୟ ଉପରେ ଉଲ୍ଲେଖ କଲେ । କିନ୍ତୁ ଆଫଗାନିସ୍ତାନରେ ଅଣ ମୁସଲିମ ସଂପ୍ରଦାୟକୁ ନିର୍ଯାତନା ଦିଆଯାଉଥିବା ରିପୋର୍ଟ ଆସିଛି । କିଛି ଲୋକଙ୍କୁ ଭାରତ ଉଦ୍ଧାର କରିଛି । କାବୁଲ, ଜଲାଲାବାଦ ଓ ଅନ୍ୟ କିଛି ସ୍ଥାନରେ ଶିଖ୍ ସଂପ୍ରଦାୟକୁ ନିର୍ଯାତନା ଦିଆଯାଉଛି । ସଂଖ୍ୟାଲଘୁଙ୍କୁ ମୁକ୍ତ ଭାବେ ନିଜ ଧର୍ମ ପାଳନ ନିଶ୍ଚିତ କରିବା ପାଇଁ ଆପଣ କଣ କରିବେ ?
ଫାଓଜିଆ- ଶାନ୍ତି ପ୍ରକ୍ରିୟାରେ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ଏକ ପ୍ରମୁଖ ପ୍ରସଙ୍ଗ । ଆଫଗାନିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନିଶ୍ଚିତ କରିବା ଜରୁରୀ । ଆମର ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ଏକ ସମସ୍ୟା ହୋଇ ରହିଛି । ମୁଁ ତାହା ଜାଣିପାରୁଛି । କିନ୍ତୁ ଏହା ଯୁଦ୍ଧ ଯୋଗୁଁ ହିଁ ହେଉଛି । ଆମକୁ ଦୁଇଟି କଥା ଦେଖିବାକୁ ହେବ । ତାହା ହେଲା ଆଫଗାନିସ୍ତାନରେ ସହିଷ୍ଣୁତା ସ୍ତର ଓ ସାମାଜିକ ଗ୍ରହଣୀୟତା । ଆମ ଦେଶର ଇତିହାସ ସହ ସଂଖ୍ୟାଲଘୁମାନେ ଜଡିତ ହୋଇ ରହିଛନ୍ତି । ଏଥିପାଇଁ ଆମେ ଗର୍ବିତ । ସମାଜରେ କୌଣସି ଭେଦଭାବ ନାହିଁ । ମୌଳବାଦୀ ସଂଗଠନ ଓ ରାଜନୈତିକ ଉଗ୍ରପନ୍ଥୀ ସଂଗଠନ ବା ଗୋଷ୍ଠୀ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଆମେ ସେ ନେଇ ଅବଗତ ଅଛୁ । ଏଭଳି ସ୍ଥିତିରେ ସଂଖ୍ୟାଲଘୁମାନେ ଆଫଗାନିସ୍ତାନରୁ ପଳାୟନ କରୁଥିବାରୁ ଆମେ ଦୁଃଖିତ । କିନ୍ତୁ ସେମାନଙ୍କ ଅଧିକାରର ସଂରକ୍ଷଣ ଚଏସ ନୁହେଁ , ବରଂ ଆବଶ୍ୟକତା । ତେଣୁ ସମସ୍ତେ ସେ ନେଇ ସ୍ପଷ୍ଟ କରିବା ଦରକାର । ଆମ ପାଇଁ ସମବେଷ୍ଟୀ ଆଫଗାନିସ୍ତାନ ହିଁ ଦରକାର । ସେ ନେଇ କୌଣସି ଆଲୋଚନା କରାଯିବ ନାହିଁ ।
ବିଲାଲ- ଆଫଗାନିସ୍ତାନର ବିକାଶ ପାଇଁ ଭାରତ ବିପୁଳ ପୁଞ୍ଜିନିବେଶ କରୁଛି। ତାଲିବାନ ସହ ବୁଝାମଣା ପରବର୍ତୀ ସମୟରେ ଭାରତର ସ୍ଥିତି କଣ ରହିବ ବୋଲି ଆପଣ ଭାବୁଛନ୍ତି ?
ଫାଓଜିଆ – ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଭାରତ ପୁଂଜି ବିନିଯୋଗ କରୁଥିବା ନେଇ ମୁଁ ଜାଣିଛି । ଭାରତୀୟ ସମର୍ଥନ ପାଇଁ ଆଫଗାନିସ୍ତାନ ଲୋକେ କୃତଜ୍ଞ । ଆମେ ଭାରତକୁ ଏକ ରଣନୈତିକ ପାର୍ଟନର ଭାବେ ଦେଖୁଛୁ ।
ବିଲାଲ- ଆପଣଙ୍କର ଓ ତାଲିବାନର ମୁଖ୍ୟ ଦାବି ସବୁ କଣ ରହିଛି ?
ଫାଓଜିଆ – ବର୍ତମାନ ତ ଆମେ କେବଳ ଶାନ୍ତି କଥାବାର୍ତାର ନିୟମ ଓ ପ୍ରକ୍ରିୟା ଏବଂ ମୌଳିକ ଆଚରଣ ବିଧି ସଂପର୍କରେ ଆଲୋଚନା କରୁଛୁ ।