ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ)ର ଜଣେ ବିଧାୟକଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୋଲିସ । ଗିରଫ ବିଧାୟକ ଜଣଙ୍କ ହେଲେ ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ସୋମନାଥ ଭାରତୀ । ଉତ୍ତରପ୍ରଦେଶର ହସ୍ପିଟାଲ ସମ୍ପର୍କରେ ବିବାଦୀୟ ମନ୍ତବ୍ଯ ପାଇଁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଭାରତୀଙ୍କୁ ଆମେଠି ପୋଲିସ ଗିରଫ କରିଛି । ସେ ରାୟବରେଲୀରୁ ଆମେଠି ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପୂର୍ବରୁ ମଧ୍ୟ ତାଙ୍କ ଉପରେ କାଳି ମାଡ କରାଯାଇଥିଲା ।
ସୋମନାଥ ରାୟବରେଲୀରେ ପହଞ୍ଚିବା ପରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକରେ ସେ ଯୋଗୀ ସରକାରଙ୍କ ଉପରେ ବର୍ଷିଥିଲେ । ପରେ ସେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ଉତ୍ତର ପ୍ରଦେଶ ହସ୍ପିଟାଲ ବାବଦରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଉକ୍ତ ମନ୍ତବ୍ୟକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସେ ରାୟବରେଲିରୁ ଆମେଠି ଅଭିମୁଖେ ଯାତ୍ରା ଆରମ୍ଭ କରିବାବେଳେ ତାଙ୍କ ଉପରକୁ ପୋଲିସ ଉପସ୍ଥିତିରେ କାଳୀମାଡ ହୋଇଥିଲା । କାଳୀ ମାଡ ପରେ ଘଟଣାସ୍ଥଳରେ ପୋଲିସ ସହ ମଧ୍ୟ ତାଙ୍କର ତର୍କ ହୋଇଥିବା ଦେଖାଯାଇଥିଲା । କାଳୀମାଡ ହେବା ପରେ ସେ ଉତ୍ତେଜିତ ହୋଇ ସିଧାସଳଖ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା । ପରେ ତାଙ୍କୁ ଗିରଫ କରାଯାଇଥବା ସୂଚନା ମିଳିଛି ।
ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଆଇପିସିର ଧାରା 505 ଓ 153 (କ) ରେ ମାମଲା ରଜୁ କରିଛି ଉତ୍ତରପ୍ରଦଶ ପୋଲିସ । ଶନିବାର ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକରେ ଉତ୍ତରପ୍ରଦେଶର ହସ୍ପିଟାଲକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସୋମନାଥ ।ଉକ୍ତ ବୈଠକରେ ଉତ୍ତରପ୍ରେଦଶର ହସ୍ପିଟାଲରେ କୁକୁର ଛୁଆ ଜନ୍ମ ହୁଅନ୍ତି ବୋଲି କହିଥିଲେ ସୋମନାଥ । ସୋମନାଥଙ୍କ ଗିରଫ ପରେ ଏହାକୁ ନେଇ କଡା ଆଭିମୁଖ୍ୟ ଦେଖାଇଛି ଆପ । ରାୟବରେଲୀରେ ଆପ କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ରାଲିର ବିଧାୟକ ଭାରତୀଙ୍କ ସମର୍ଥନରେ ବାହାରିଥିବା ଦେଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ