ମୁମ୍ବାଇ: ଅନୈତିକ ସମ୍ପର୍କର କରୁଣ ପରିଣତି । ଶାଶୂକୁ ହତ୍ୟାକଲା ବୋହୂ । ଅନୈତିକ ପ୍ରେମ ସମ୍ପର୍କ ପାଇଁ ପ୍ରେମିକ ସହ ମିଶି ବୋହୁ ନିଜ ଶାଶୁକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା ପ୍ରକାଶ ପାଇଛି ମହାରାଷ୍ଟ୍ରରେ । ଅଭିଯୁକ୍ତ ବୋହୂ ଏବଂ ପ୍ରେମିକକୁ ଗିରଫ କରାଯାଇଥିବା ନେଇ ପୋଲିସ ବୁଧବାର ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ବସ୍ତି ଅଞ୍ଚଳରେ ଜଣେ 57 ବର୍ଷୀୟା ମହିଳାଙ୍କୁ ହତ୍ୟା ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ଛାନଭିନ୍ କରିବା ପରେ ମୃତ ମହିଳାଙ୍କ ସାନ ବୋହୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପୋଲିସକୁ ପ୍ରମାଣ ମିଳିଥିଲା ।
ଅଭିଯୁକ୍ତ ବୋହୂ ଜଣକର ପଡୋଶୀ ଯୁବକଙ୍କ ସହ ଅନୈତିକ ପ୍ରେମ ସମ୍ପର୍କ ରହିଥିଲା । ଏ ସମ୍ପର୍କରେ ମହିଳାଙ୍କ ଶାଶୂ ଜାଣି ଯାଇଥିଲେ । ଏଣୁ ଅଭିଯୁକ୍ତ ବୋହୁ ଏବଂ ତାଙ୍କ ପ୍ରେମିକ ଶାଶୁକୁ ମାରିବାକୁ ଯୋଜନା କରିଥିଲେ । ମହିଳା ଜଣକ ଶୋଇଥିବାବେଳେ ଉଭୟ ମିଶି ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ ।
ଏନେଇ ପୋଲିସ ଆଇପିସିର ଧାରା 302 ଆଧାରରେ ଏକ ମାମଲା ରୁଜୁ କରି ହତ୍ୟାକାରୀ ବୋହୂ ଓ ସଂପୃକ୍ତ ପ୍ରେମିକକୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ