ଲକ୍ଷ୍ନୌ: ଏସିଡ ଆକ୍ରମଣର ଶିକାର 13 ବର୍ଷର ନାବାଳିକା ସହ ଦୁଇ ମହିଳା ହସ୍ପିଟାଲରେ ଭର୍ତ୍ତି । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ମାଲଦା ଅଞ୍ଚଳରେ ।ମହିଳା ଦୁହେଁ ଏକ ଗହଣା ଦୋକାନରେ ପାଉଁଜି ସଫା କରିବା ଉଦ୍ଦେଶ୍ୟରେ ଯାଇଥିଲେ । କୌଣସି କାରଣରୁ କାରିଗର ଓ ମହିଳାଙ୍କ ଭିତରେ ଝଗଡା ହୋଇଥିଲା । କିନ୍ତୁ ଘଟଣା ଦିନ ସେହି କାରିଗରଙ୍କୁ ନିଜ କଲୋନୀରେ ଦେଖି ରାଗିଯାଇଥିଲେ ମହିଳା ।
କ୍ରୋଧ ନିୟନ୍ତ୍ରଣ କରି ନପାରି ପାଖରେ ଥିବା ଏକ ବ୍ୟାଗ ତାଙ୍କ ଉପରକୁ ଫିଙ୍ଗିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ବ୍ୟାଗରେ ଥିବା ଏସିଡ ବୋତଲ ଖୋଲି ପାଖରେ ଥିବା ଦୁଇ ମହିଳାଙ୍କ ସମେତ ନାବାଳିକାଙ୍କ ଉପରେ ପଡିଥିଲା । ତେବେ ସଙ୍ଗେ ସଙ୍ଗେ ତିନି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସମସ୍ତଙ୍କର ଚିକିତ୍ସା ଚାଲିଛି । ଡାକ୍ତରଙ୍କ କହିବା ଅନୁସାରେ ନାବାଳିକାଙ୍କ ଶରୀର 18 ପ୍ରତିଶତ ପୋଡି ଯାଇଛି ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏସିଡ ଫିଙ୍ଗିଥିବା ମହିଳାଙ୍କୁ ଗିରଫ କରି ପଚରାଉଚରା କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଅଭିଯୁକ୍ତା ମହିଳା ପୀଡିତା ନାବାଳିକା ଓ 2 ଜଣ ମହିଳାଙ୍କ ପଡୋଶୀ । ବର୍ତ୍ତମାନ ଏସିଡ ବିକ୍ରି ବ୍ୟାନ ହୋଇଥିବା ବେଳେ ମହିଳା ତାଙ୍କ ବ୍ୟାଗରେ କାହିଁକି ଏସିଡ ରଖିଥିଲେ ସେନେଇ ପ୍ରଶ୍ନ ଉଠିଛି ।