ବେଙ୍ଗାଲୁରୁ: ଫିଲ୍ମ ଷ୍ଟାଇଲରେ ପ୍ରେମିକାକୁ ଅପହରଣ କଲା ପ୍ରେମିକ । କର୍ଣ୍ଣାଟକ ବେଙ୍ଗାଲୁରୁ ସହରର ଏମବି ରୋଡ ନିକଟରେ ଶୁକ୍ରବାର ଜଣେ ପ୍ରେମିକ ଫିଲ୍ମ ଷ୍ଟାଇଲରେ ପ୍ରେମିକାକୁ ଅପହରଣ କରିଛି । ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ହେବ କିଲାରୀପେଟର ଶିବା ନାମକ ଯୁବକ ଦେୱାନଗାପେଟର ଜଣେ 22 ବର୍ଷୀୟ ଯୁବତୀଙ୍କୁ ପ୍ରେମ କରୁଥିଲେ । ନିକଟରେ ଏହି ଖବର ଯୁବତୀଙ୍କ ପରିବାର ଲୋକ ଜାଣିବା ପରେ ସେମାନେ ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ ।
ଏହାପରେ ଯୁବତୀ ଜଣଙ୍କ ବାପାମାଆଙ୍କ ଇଚ୍ଛାରେ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଖବର ଜାଣିବା ପରେ ଶିବା କ୍ରୋଧରେ ଜର୍ଜରିତ ହୋଇଥିଲା । ଶେଷରେ ଶିବା ଶୁକ୍ରବାର ନିଜ ସାଙ୍ଗ ସହ ଏକ କାରରେ ଆସି ସହରର ଏମବି ରୋଡ ନିକଟରୁ ପ୍ରେମିକାକୁ ଫିଲ୍ମ ଷ୍ଟାଇଲରେ ଉଠାଇ ନେଇଥିଲା ।
ଯୁବତୀଙ୍କ ସାଙ୍ଗରେ ଥିବା ଅନ୍ୟ ଏକ ଯୁବତୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ । ଦିନ ଦ୍ବିପ୍ରହରେ ଏଭଳି ଏକ ଘଟଣା ଦେଖି ଲୋକ ଚକିତ ହୋଇଥିଲେ । ଏପଟେ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଖବର ପାଇ ଗାଲାପେଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ