ନୂଆଦିଲ୍ଲୀ: ସମଗ୍ର ଦେଶରେ କାୟା ବିସ୍ତାର କରିଛି କୋରୋନା ଭାଇରସ । ସମସ୍ତ ଉପଯୁକ୍ତ ପଦକ୍ଷେପ ସର୍ତ୍ତ୍ବେ ଦେଶରେ କ୍ରମାଗତ ଭାଗେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଛି । ତେବେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ତୁଳନାରେ ବର୍ତ୍ତମାନ ଦେଶରେ କୋରୋନା ପରୀକ୍ଷା ଅଧିକ କରାଯାଉଛି । ଏହି କ୍ରମରେ ଗତ 24 ଘଣ୍ଟାରେ 1 ଲକ୍ଷ 89 ହଜାର 869 କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 66 ଲକ୍ଷ 16 ହଜାର 869 କୋରୋନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ସୂଚନା ଦେଇଛନ୍ତି ।
ଏପଟେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 14516 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ପାଖାପାଖି ପହଞ୍ଚିଛି । ଏଥିସହ ବର୍ତ୍ତମାନ ଦେଶରେ 12948 ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଛି । ତେବେ ଦେଶରେ କୋରୋନା ଭାଇରସ ଯୋଗୁଁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ଏହାପରେ ଦ୍ବିତୀୟରେ ତାମିଲନାଡୁ, ତୃତୀୟରେ ଗୁଜୁରାଟ ଏବଂ ଚତୁର୍ଥରେ ଦିଲ୍ଲୀ ରହିଛି ।
ସେହିପରି ଜନ ହପକିନ୍ସ ୱାଲ୍ଡ ପାରାମିଟର ଅନୁଯାୟୀ, କୋରୋନା ଦୃଷ୍ଟିରୁ ଭାରତ ବିଶ୍ବର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ପ୍ରଥମରେ ଆମେରିକା, ଦ୍ବିତୀୟରେ ବ୍ରାଜିଲ ଏବଂ ତୃତୀୟରେ ଋଷ ରହିଛି ।