ନୂଆଦିଲ୍ଲୀ: ବିତିଗଲାଣି 6 ମାସ ମାତ୍ର କୋରୋନା ମହାମାରୀ ଥମିବାର ନାଁ ନେଇନି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ବରେ 1.1 କୋଟି ଲୋକ ଏହି ଜୀବାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହାସହ ସମଗ୍ର ବିଶ୍ବରେ 50 ପ୍ରତିଶତରୁ ଅଧିକ ଲୋକ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । ଏହା ବ୍ୟତୀତ କୋରୋନା ସଂକ୍ରମଣ ଦ୍ବାରା ପାଞ୍ଚ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ସାତ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଦେଶ ମଧ୍ୟରୁ ଭାରତ ହେଉଛି ବିଶ୍ବର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ।
ଗତବର୍ଷ ଚାଇନାର ୱୁହାନ ସହରରେ ଦେଖା ଦେଇଥିବା ଏହି ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ପ୍ରସ୍ତୁତ କରାଯାଇ ନାହିଁ । ଏହାକୁ ନେଇ ଅନେକ ସନ୍ଦେହ ଆଜିବି ଲୋକଙ୍କ ମଧ୍ୟରେ ରହିଛି । ନିକଟରେ ପତ୍ରିକା 'ନେଚେର' କୋରୋନା ଜୀବାଣୁ ସହିତ ଜଡିତ ପାଞ୍ଚଟି ରହସ୍ୟର ଉତ୍ତର ଖୋଜିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛି ।
ପତ୍ରିକାଟି କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକୁ ନେଇ ଆଲୋଚନା କରିଛି , ଯାହାର ଉତ୍ତର ଏପର୍ଯ୍ୟନ୍ତ କୌଣସି ଗବେଷକ ଦେଇପାରି ନାହାଁନ୍ତି । ଉକ୍ତ ପ୍ରଶ୍ନ ଗିଡୁକ ହେଲା...
କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ପ୍ରତ୍ୟେକ ବୟସର ଲୋକଙ୍କ ପ୍ରତିକ୍ରିୟା ଭିନ୍ନ ଥାଏ କାହିଁକି ?
ଏହା ସ୍ପଷ୍ଟ ହୋଇ ସାରିଛି ଯେ, ଶିଶୁ, ବୃଦ୍ଧ ବିଶେଷକରି ଯେଉଁମାନେ ପୂର୍ବରୁ ଏକ ଗୁରୁତର ରୋଗରେ ଆକ୍ରାନ୍ତ ସେମାନଙ୍କୁ ଏହି ଜୀବାଣୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ । ଆହୁରି ମଧ୍ୟ, ଏହି ଲୋକଙ୍କ ଉପରେ ରୋଗର ପ୍ରଭାବ ଅଧିକ ଦେଖାଯାଏ । ତଥାପି ମଧ୍ୟ ଲୋକଙ୍କ ଶରୀରରେ ଜୀବାଣୁଙ୍କର ପ୍ରତିକ୍ରିୟା ଭିନ୍ନ ଦେଖାଦିଏ କାହିଁକି?
ରୋଗ ପ୍ରତିରୋଧକ କ’ଣ ଏବଂ ଏହା କେତେ ଦିନ ପର୍ଯ୍ୟନ୍ତ ରହିଥାଏ?
ଇମ୍ୟୁନୋଲୋଜିଷ୍ଟ ଏବଂ ବିଶେଷଜ୍ଞମାନେ କୋରୋନା ଜୀବାଣୁ ପ୍ରତିରୋଧକ ଶକ୍ତି କିପରି ଦେଖାଯାଏ ଏବଂ ଏହା କେତେ ଦିନ ପର୍ଯ୍ୟନ୍ତ ଶରୀରରେ ଥିବା ଜୀବାଣୁ ସହ ଲଢି ପାରିବ ତାହା ସ୍ଥିର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।
କୋରୋନା ଭୂତାଣୁ କୌଣସି ଚିନ୍ତାଜନକ ମ୍ୟୁଟେସନ ବିକଶିତ କରିଛି କି?
ଗତ ବର୍ଷ ଚାଇନାରେ ଏହା ଦେଖାଯିବା ପରେ ଏହି ଭୂତାଣୁ ଖୁବ୍ କମ ସମୟ ମଧ୍ୟରେ ପୃଥିବୀର ଅନ୍ୟ ମହାଦେଶରେ ବ୍ୟାପି ଯାଇଥିବାରୁ ଏହାର ମ୍ୟୁଟେସନକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି ।
ସଂକ୍ରମିତଙ୍କ ଉପରେ ଭ୍ୟାକସିନ କେତେ ଭଲ କାମ କରିବ?
ବିଶେଷଜ୍ଞ ଏବଂ ବୌଜ୍ଞାନିକମାନେ ଏହା ସ୍ପଷ୍ଟ କରିଛନ୍ତି ଯ, କୋଭିଡ 19ର ଭ୍ୟାକସିନ୍ ସମସ୍ତଙ୍କ ପାଇଁ ଆବଶ୍ୟକ ନାହିଁ । କାରଣ ଅଧିକାଂଶ ଲୋକ ନିଜର ଶକ୍ତିଶାଳୀ ଇମ୍ୟୁନ ଦ୍ବାରା ଏହି ସଂକ୍ରମଣରୁ ମୁକ୍ତି ପାଉଛନ୍ତି । କେବଳ ବୃଦ୍ଧ, ଶିଶୁ ସମେତ ସମାଜର ଦୁର୍ବଳ ବିଭାଗ ପାଇଁ ଏହି ଟୀକା ବ୍ୟବହାର କରାଯିବ । ତଥାପି, ଏହି ଭ୍ୟାକସିନ ଭୂତାଣୁ ବିରୁଦ୍ଧରେ କେତେ ପ୍ରଭାବଶାଳୀ ହେବ ତାହାର ଆକଳନ ଜାରି ରହିଛି ।
ଭାଇରସର ଉତ୍ପତ୍ତି କେଉଁଠୁ?
ଏହି ପ୍ରଶ୍ନ ସବୁଠାରୁ ବଡ ରହସ୍ୟ । ଚୀନରୁ ଜନ୍ମ ନେଇଥିବା ଏହି ଭାଇରସକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଥିଲେ ମଧ୍ୟ ଏହାର ଏଯାଁଏ ସ୍ପଷ୍ଟ ହୋଇନି ।