କୁଲଗାମ: ଘାଟି ସୁରକ୍ଷାବାହିନୀଙ୍କ କଡା ପହରାରେ ରହିଛି । ମାତ୍ର ବନ୍ଧୁକ ମୁନରେ ହିଂସା ରଚି ଭୟର ବାତାବରଣ ଜାରି ରଖିଛନ୍ତି ଆତଙ୍କୀ । ମଙ୍ଗଳବାର ଜମ୍ମୁ-କାଶ୍ମୀର ଆତଙ୍କୀଙ୍କ ଆକ୍ରମଣରେ ଥରିଛି । କୁଲଗାମରେ ଆତଙ୍କୀ ଆକ୍ରମଣରେ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ଶ୍ରମିକ ଅଣକାଶ୍ମିରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଶ୍ରମିକମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ସମସ୍ତେ ଦିନ ମଜୁରିଆ ବୋଲି ଜଣାଯାଇଛି ।
ଏହି ଘଟଣା ପରେ ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି । ଏହାସହ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି । ଲଗାତାର ଭାବରେ ଘାଟିରେ ଆଶନ୍ତିର ମାହୋଲ ସୃଷ୍ଟି କରିବା ପାଇଁ ଶ୍ରମିକ, ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ମୁଖ୍ୟତଃ ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀରରେ ରହୁଥିବା ଅନ୍ୟ ରାଜ୍ୟର ଶ୍ରମିକ ଓ ଟ୍ରକ ଡ୍ରାଇଭର ।
ମଙ୍ଗଳବାର ରାଜ୍ୟର ଦ୍ରବଗ୍ରାମରେ ସିଆରପିଏଫ୍ କ୍ୟାମ୍ପକୁ ଆତଙ୍କବାଦୀ ଗୁଳିମାଡ କରିଥିଲେ । ଏହା ପରେ ପରେ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ବର୍ତ୍ତମାନର ସ୍ଥିତି ପରଖିବା ପାଇଁ ମଙ୍ଗଳବାର 28 ଜଣିଆ ୟୁରୋପୀୟ ୟୁନିୟନ ସଂସଦର ପ୍ରତିନିଧି ମଣ୍ଡଳ ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି ।