ସୀମଲା: ହିମାଚଳ ପ୍ରଦେଶ ସିମଲାରେ ଜାରି ରହିଛି ତୁଷାରପାତ। ଯାହାର ପ୍ରଭାବ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ରାଜପଥରେ। ପ୍ରବଳ ବରଫପାତ ଯୋଗୁଁ 1034 ରାସ୍ତା ଓ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଏପଟେ ଏହି ସୁନ୍ଦର ସ୍ଥାନକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନେ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡୁଥିବା ବେଳେ ସାଧାରଣ ଲୋକେ ନାହିଁ ନାହିଁ ଅବସ୍ଥା ହେଉଛନ୍ତି।
ମିଳିଥିବା ସୂଚନା ଅନୁସାରେ,ସର୍ବାଧିକ ସଂଖ୍ୟକ ରାସ୍ତାଜାମ ସିମଲା ଜୋନରେ ହୋଇଛି। ସେଥିମଧ୍ୟରୁ 759 ରୋଡ,179 ମଣ୍ଡି ଜୋନ,91 କନଗାରା ଜୋନରେ ଯାତାୟତ ପୂରାପୁରି ଠପ୍। ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପବ୍ଲିକ ୱାର୍କ ଡିର୍ପାଟମେଣ୍ଟ 259 ନମ୍ବର ରୋଡକୁ ଖୋଲା ରଖିଛନ୍ତି। ବରଫପାତ ଯୋଗୁଁ 9360.98ଲକ୍ଷ ଟଙ୍କା କ୍ଷତି ହୋଇଥିବା ପବ୍ଲିକ ୱାର୍କ ଡିର୍ପାଟମେଣ୍ଟ ଆକଳନ କରି କହିଛି।
ତେବେ ରାଜପଥରେ ଜମିଥିବା ବରଫ ସଫା ପାଇଁ 483ଟି ଛୋଟ ଓ ବଡ ମେସିନ ଲଗାଯାଇ ସଫେଇ କାର୍ଯ୍ୟ କରାଯାଉଛି। ହେଲେ କୁହୁଡି ପାଇଁ ଏଥିରେ ମଧ୍ୟ ବାଧା ଉପୁଜୁଛି। ବରଫପାତ ପାଇଁ ସିମଲାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତାରେ 3 ଫୁଟ ଉଚ୍ଚର ବରଫ ଦେଖିବାକୁ ମିଳିଛି।
ଖବର ଥାଉକି, ବରଫପାତରେ ହିମାଚଳ ପ୍ରଦେଶର ରାଜଧାନୀ ସିମଲା ଦୀର୍ଘ 12 ବର୍ଷର ରେକର୍ଡ ଭାଙ୍ଗିଛି। ତାପମାତ୍ରା ହ୍ରାସ ପାଇଁ ରାଜ୍ୟରେ ଅସହ୍ୟ ଥଣ୍ଡା ଅନୁଭୂତ ହୋଇଛି। ଏହାପୂର୍ବରୁ 1945ରେ ସିମଲାରେ ତାପମାତ୍ରା -10 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।