ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଯୋଗ ଦେଲେ 4 ବିଦ୍ରୋହୀ କଂଗ୍ରେସ ବିଧାୟକ । ଫେବୃଆରୀ 6ରୁ ଚାଲିଛି ବଜେଟ ଅଧିବେଶନ । ଦଳର ହ୍ବିପ ଜାରି ପରେ ବି ଅନୁପସ୍ଥିତ ଥିଲେ ବିଧାୟକ ରମେଶ ଜାରକିହୋଲି, ଉମେଶ ଯାଦବ, ମହେଶ କୁମଥାହାଲି ଏବଂ ବି ନଗେନ୍ଦ୍ର । ବିରୋଧୀ ବିଜେପି ଏହି 4 କଂଗ୍ରେସ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଜେଡିଏସ-କଂଗ୍ରେସ ସରକାରରେ କିଛି କଂଗ୍ରେସ ନେତା ପିସିସିର କାର୍ଯ୍ୟକୁ ନେଇ ଅସନ୍ତୋଷ ଥିବା ଜଣାପଡିଛି ।
ରମେଶ ଜାରକିହୋଲି ମଙ୍ଗଳବାର ରାତିରେ ବେଙ୍ଗାଲୁରୁରେ ପହଞ୍ଚିଥିବା ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି । କୌଣସି କାରଣରୁ ସେ ରାଜ୍ୟ ବାହାରେ ଥିଲେ । ସେହିପରି ମହେଶ କୁମଥାହାଲି କହିଛନ୍ତି ଦଳର କିଛି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ । ହେଲେ ବଜେଟ ଅଧିବେଶନ ଚାଲିଥିବାରୁ ସେ ବିଳମ୍ବରେ ହେଉ ପଛେ ଯୋଗ ଦେଇଛନ୍ତି ।
ସୂଚନା ରହିଛି କି ବିଧାୟକ ନାରାୟଣ ଗୌଡା ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀଙ୍କୁ ନେଇ ଅସନ୍ତୋଷ ଅଛନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀ କ୍ରିଷ୍ଣାରାଜପେଟକୁ ମୁଖ୍ୟମନ୍ତ୍ରୀ ଅବହେଳା କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।