ନୂଆଦିଲ୍ଲୀ: 2019 ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା 36 ଜଣ ସଶସ୍ତ୍ର ପୋଲିସ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ଗତ 6 ବର୍ଷ ମଧ୍ୟରେ ମୋଟ 433 ଟି ଆତ୍ମହତ୍ୟା ଘଟଣା ଘଟିଥିବା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ସର୍ବଶେଷ ଆକଳନରେ ଜଣାପଡିଛି । 6 ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ)ର 433 କର୍ମଚାରୀ ଆତ୍ମହତ୍ୟା କରିଥିବା ଏଥିରେ ପ୍ରକାଶ ପାଇଛି ।
ତଥ୍ୟ ଅନୁଯାୟୀ, 2018 ରେ ସର୍ବନିମ୍ନ 28 ଟି ମାମଲା ରେକର୍ଡ ହୋଇଥିବାବେଳେ 2014 ରେ ସର୍ବାଧିକ 175 ଟି ମାମଲା ରେକର୍ଡ କରାଯାଇଥିଲା। 2017 ରେ ଏହିପରି 60 ଟି ଘଟଣା ଘଟିଥିବା ବେଳେ 2016 ରେ 74 ଏବଂ 2015 ରେ 60ଟି ଆତ୍ମହତ୍ୟା ମାମଲା ରେକର୍ଡ ହୋଇଥିଲା ।
ଗୃହ ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଆସୁଥିବା ସିଏପିଏଫ ସାତଟି କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ନେଇ ଗଠିତ । ସେଥିରେ ଆସାମ ରାଇଫଲ୍ସ ବ୍ୟତୀତ ସୀମା ସୁରକ୍ଷା ବାହିନୀ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ, ସଶସ୍ତ୍ର ସୀମା ବାହିନୀ ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଅନ୍ତର୍ଭୁକ୍ତ।
ଏନସିଆରବି ଅନୁଯାୟୀ, ଜାନୁୟାରୀ 1, 2019 ରେ ସିଏପିଏଫରେ 9,23,800 କର୍ମଚାରୀ ଥିଲେ। ସୀମା ସୁରକ୍ଷା ତଥା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ବଜାୟ ରଖିବା ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବାରେ ଏହି ବାହିନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
2019 ମସିହାରେ ସମୁଦାୟ 36 ସିଏପିଏଫ କର୍ମଚାରୀ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରୁ 14 ଜଣ (38.9 ପ୍ରତିଶତ) ପାରିବାରିକ ସମସ୍ୟା ଏବଂ ତିନି ଜଣ ସେବା ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଇଛି । ସେହିପରି ଆତ୍ମହତ୍ୟା କରିଥିବା 8 ଜଣ କର୍ମଚାରୀଙ୍କ କାରଣ ଜଣା ପଡି ନଥିବା ବେଳେ 9 ଜଣଙ୍କର ଅନ୍ୟ କାରଣ ଥିଲା। ସେପଟେ ସାମାଜିକ ଖ୍ୟାତି ଏବଂ ବିବାହ ସମ୍ବନ୍ଧୀୟ ପ୍ରସଙ୍ଗରେ 2 ଜଣ ଆତ୍ମହତ୍ୟା କରିଥିଲେ ।