ଚେନ୍ନାଇ: ବିଭିନ୍ନ ଦାବି ନେଇ ତାମିଲନାଡ଼ୁରେ ଏକସଂଗେ 17 ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ରାଜ୍ୟରେ ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେପଟେ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ।
ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏନେଇ ଦ୍ରାବିଡ଼ ମୁନେତ୍ର କଡଗମ(ଡିଏମକେ) ଅଧ୍ୟକ୍ଷ ଏମ କେ ଷ୍ଟାଲିନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହିତ ସେ କହିଛନ୍ତି କି, ଡାକ୍ତରମାନଙ୍କୁ ଆନ୍ଦୋଳନ କରିବାକୁ ରାଜ୍ୟ ସରକାର ବାଧ୍ୟ କରିଛନ୍ତି । ଡାକ୍ତରମାନଙ୍କ ସମସ୍ୟା ପ୍ରତି ଅଣଦେଖା କରିଛନ୍ତି । ସମାଧାନ କରିବା ଅପେକ୍ଷା ସେମାନଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡାକ୍ତରମାନେ ସେମାନଙ୍କ ସମସ୍ୟାକୁ ଲିଖିତ ଆକାରରେ ରଖିଥିଲେ ମଧ୍ୟ ସରକାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହା ସହିତ ସମସ୍ୟାର ସମାଧାନ ଖୋଜିବାକୁ ଆନ୍ଦୋଳନରତ ଡାକ୍ତରମାନଙ୍କୁ କହିଛନ୍ତି । ସେପଟେ ଡାକ୍ତରମାନେ ଆନ୍ଦୋଳନରୁ ଓହରି ଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନା ଯୋଗ୍ୟ ଡାକ୍ତରମାନେ ଦରମା ବୃଦ୍ଧି, ଧାର୍ଯ୍ୟ ସମୟରେ ପଦୋନ୍ନତି ଓ ଅଧିକ ନିଯୁକ୍ତି ପାଇଁ ଦାବି କରିଥିଲେ । ଏନେଇ ଡାକ୍ତରୀ ସଂଘ ସରକାରଙ୍କୁ ଲିଖିତ ଆକାରରେ ମଧ୍ୟ ଜଣାଇଥିଲେ । ମାତ୍ର ସେମାନଙ୍କ ଦାବିକୁ ସରକାର ଅଣଦେଖା କରିଥିବା ଜଣାପଡ଼ିଛି ।