ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ ପରଠୁ ଭାରତରେ ଲଗାତାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛି । ପାକିସ୍ତାନ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନର ପ୍ରାୟ135 ଆତଙ୍କୀ କାଶ୍ମୀରରେ ଅନୁପ୍ରବେଶ କରିଥିବା ଜଣାପଡିଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ କମ ରହିଛି । ଗତବର୍ଷ ପ୍ରାୟ 143 ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ କରିଥିଲେ ।
ଭାରତରେ ଅନୁପ୍ରବେଶ ପାଇଁ ବ୍ୟବହାର ହେଉଥିବା ରାସ୍ତାକୁ ଚିହ୍ନଟ କରିଛନ୍ତି ସୁରକ୍ଷାକର୍ମୀ । ଏହାସହିତ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ନିୟନ୍ତ୍ରଣ ରେଖାରେ ସେନା ଏବଂ ବିଏସଏଫ ବ୍ୟତୀତ ଭିଲେଜ ଡିଫେନ୍ସ କମିଟି, ପୋଲିସ ଏବଂ ଆଇବି ପକ୍ଷରୁ ମଧ୍ୟ ନଜର ରଖାଯାଇଛି । ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ କରିବା ପାଇଁ ନୂଆ ନୂଆ ରାସ୍ତା ଆପଣାଉଛନ୍ତି । ଏହା ସହିତ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଲସ୍କର-ଏ-ତୋଇବା ଏବଂ ଜୈଶ-ଇ-ମହମ୍ମଦର ଲଞ୍ଚ ପ୍ୟଡ ଏବଂ ଆତଙ୍କବାଦୀ ଶିବିର ସକ୍ରିୟ ଥିବାନେଇ ଜଣାପଡିଥିବା ସେ କହିଛନ୍ତି ।
ଫଇନାନସିଆଲ ଏକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ଦୀର୍ଘ ଦିନରୁ ପାକିସ୍ତାନ ଉପରେ ନଜର ରଖିଥିବା ଯୋଗୁଁ ମେରୁ ଜୁଲାଇ ମଧ୍ୟରେ ସୀମାପାର ଆତଙ୍କବାଦ ଗତିବିଧି କମ ରହିଥିଲା । ହେଲେ ଅଗଷ୍ଟରେ ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରଠାରୁ ସୀମାପାର ଆତଙ୍କବାଦ ବୃଦ୍ଧି ଘଟିଛି।