ଲକ୍ଷ୍ନୌ: କୋଭିଡ-19 ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି । ଏହି ପରିସ୍ଥିତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରବାସୀ ଶ୍ରମିକମାନଙ୍କୁ 15 ଦିନର ମାଗଣା ଖାଦ୍ୟ ସାମଗ୍ରୀ ଏବଂ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରିଛନ୍ତି । ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ପଞ୍ଜୀକରଣ କରିବା ପରେ ଏହି ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଦିଆଯିବ । ସିଏମ୍ ଯୋଗୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ଶ୍ରମିକ ମାନଙ୍କର ସ୍କ୍ରିନିଂ ଏବଂ ପରୀକ୍ଷା କରାଯାଉ । ଏହା ପରେ ସମସ୍ତଙ୍କୁ ବସ ଯୋଗେ ନିଜ ଜିଲ୍ଲାକୁ ପଠାଯିବ।
ଆଶ୍ରୟ ଗୃହକୁ ସାନିଟାଇଜ କରିବା ଏବଂ ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ସତେଜ ଏବଂ ପେଟ ପୁରା ଖାଦ୍ୟ ଭରିବା ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ, 14 ଦିନିଆ କ୍ବାରେଣ୍ଟାଇନ ଅବଧି ସରିବା ପରେ ସମସ୍ତଙ୍କୁ ଭରଣ ପୋଷଣ ଭତ୍ତା ଭାବେ ଖାଦ୍ୟ ସାମଗ୍ରୀ ଏବଂ ଏକ ହଜାର ଟଙ୍କା ଦେବାପାଇଁ କହିଛନ୍ତି ।
ଏହାପୂର୍ବରୁ ଗତ 45 ଦିନ ମଧ୍ୟରେ ରାଜ୍ୟକୁ ଆସିଥିବା 5 ଲକ୍ଷ ଶ୍ରମିକଙ୍କୁ ରୋଜଗାର ଯୋଗାଇବା ପାଇଁ ଏକ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଛି । ଏନେଇ ରବିବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନୀଶ ଅବସ୍ତି ଏ ବିଷୟରେ ସୂଚନା ଦେଇଛନ୍ତି । ଗତ 45 ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ରାଜ୍ୟକୁ ଫେରି ଆସିଥିବା ଶ୍ରମିକଙ୍କ ହିତ ପାଇଁ ସିଏମ ଯୋଗୀ ଏହି ନିଷ୍ପତ୍ତି ନେଇଛନ୍ତି ।
ବର୍ତ୍ତମାନ ଉତ୍ତରପ୍ରଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1873 ରହିଛି । ସେଥିମଧ୍ୟରୁ 30 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 327 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।