ନୂଆଦିଲ୍ଲୀ: ଟ୍ରେନ ସେବା ପୁନଃଆରମ୍ଭ ହେବାର ପ୍ରଥମ ଦିନରେ ଲୋକଙ୍କ ତରଫରୁ ବ୍ୟାପକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପ୍ରାୟ 1.5 ଲକ୍ଷରୁ ଅଧିକ ଯାତ୍ରୀ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଟିକେଟ୍ ବୁକ୍ କରିଛନ୍ତି । କହିବାକୁ ଗଲେ 1 ଲକ୍ଷ 69 ହଜାର 39 ଯାତ୍ରୀ ଏପର୍ଯ୍ୟନ୍ତ 90 ହଜାର 331 ଟିକେଟ୍ ବୁକିଂ କରିସାରିଛନ୍ତି।
ରେଳ ମନ୍ତ୍ରଣାଳୟ ଚାଲୁଥିବା ସମସ୍ତ 30ଟି ସ୍ବତନ୍ତ୍ର ଏସି ଟ୍ରେନରେ ଏହି ତଥ୍ୟ ପ୍ରକାଶ କରିଛନ୍ତି । କୋରୋନା ଭାଇରସ ମହାମାରୀ ମଧ୍ୟରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ସ୍ଥଗିତ ହେବାର ପ୍ରାୟ 48 ଦିନ ପରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଟି ସ୍ବତନ୍ତ୍ର ଏସି ଟ୍ରେନ ନୂଆଦିଲ୍ଲୀରୁ ବାହାରିଛି ବୋଲି ଅଧିକାରୀମାନେ କହିଛନ୍ତି।
ଉତ୍ତର ରେଳ ଅଧିକାରୀଙ୍କ କହିବାନୁସାରେ, ଯାତ୍ରୀବାହୀ ଟ୍ରେନ ସେବାର ପୁନରୁଦ୍ଧାର ମଙ୍ଗଳବାରଠାରୁ ଆରମ୍ଭ ହୋଇଥିଲା। ଏହି ସମୟରେ ସଂକ୍ରମଣକୁ ରୋକିବା ପାଇଁ ରେଳ ପରିସର ଓ ପ୍ଲାଟଫର୍ମଗୁଡିକ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯାଇଥିଲା ବୋଲି ଉତ୍ତର ରେଳ ମୁଖପାତ୍ର ଦୀପକ କୁମାର କହିଛନ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଓ ଯାତ୍ରୀମାନେ ଯାତ୍ରା ପାଇଁ ନିଜର କମ୍ବଳ, ପାଣି ଓ ଖାଦ୍ୟ ଆଣିବାକୁ ସେ କହିଛନ୍ତି।