ବେଙ୍ଗାଲୁରୁ: ପରିଚ୍ଛନ୍ନତାକୁ ନେଇ ପତ୍ନୀଙ୍କ ଅସ୍ବାଭାବିକ ବ୍ୟବହାରରେ ଅତିଷ୍ଠ ହୋଇ ଥାନାର ଦ୍ବାରସ୍ଥ ହଲେ ସ୍ବାମୀ । କୋଭିଡ ସମୟରେ ଦିନରେ ୬ଥର ଗୋଧେଇବା ସହ ବ୍ୟବହାର କରୁଥିବା ଲ୍ୟାପଟପ ଓ ମୋବାଇଲକୁ ପାଣିରେ ଧୋଇବା ପରି ବିଚିତ୍ର ଆଚରଣ କରୁଥିଲେ ସ୍ତ୍ରୀ । ଫଳରେ ସ୍ବାମୀ ଜଣଙ୍କ ଥାନାରେ ଦ୍ବାରସ୍ଥ ହେବା ସହ ପତ୍ନୀଙ୍କ ଠାରୁ ଛାଡପତ୍ର ଆବେଦନ କରିଛନ୍ତି । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ ।
ଥାନାର ଦ୍ବାରସ୍ଥ ହୋଇଥିବା ସ୍ବାମୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପତ୍ନୀ ଦିନରେ ୬ ଥର ଗାଧୋଇବା ବା ବ୍ୟବହାର କରୁଥିବା ଲ୍ୟାପଟପ ଓ ମୋବାଇଲକୁ ସର୍ଫରେ ଧୋଉଛନ୍ତି । ଏହି ଅସ୍ବାଭାବିକ ବ୍ୟବହାରକୁ ସେ ରୋକିବାକୁ ଚେଷ୍ଟା କରି ମଧ୍ୟ ବିଫଳ । କାରଣ ତାଙ୍କ ସ୍ତ୍ରୀ Obsessive-Compulsive Disorder, OCD ନାମକ ଏକ ମାନସିକ ବ୍ୟାଧିଗ୍ରସ୍ତ ବୋଲି ଅଭିଯୋଗ କରିଛନ୍ତି ସ୍ବାମୀ । ତେଣୁ ଅଭିଯୋଗକାରୀ ସ୍ବାମୀ ଜଣଙ୍କ ନିଜ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ଚାହୁଁଥିବା ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ।
ସ୍ବାମୀଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ହେବା ପରେ ତାଙ୍କ ସ୍ତ୍ରୀଙ୍କ ଠାରେ ପରିଚ୍ଛନ୍ନତାକୁ ନେଇ ଏପରି ଅସ୍ବାଭାବିକତା ବୃଦ୍ଧି ପାଇବ ଆରମ୍ଭ ହୋଇଥିଲା । ଅଫିସରୁ ଫେରିବା ପରେ ପିନ୍ଧିଥିବା କପଡା, ଯୋତା ଓ ଅନ୍ୟାନ୍ୟ ସାମଗ୍ରୀ ସଫା କରିବାକୁ କହୁଥିଲେ ସ୍ତ୍ରୀ । ତେବେ ସ୍ବାମୀଜଣଙ୍କ ପତ୍ନୀଙ୍କ କାଉନସିଲିଂ ମଧ୍ୟ କରିଥିଲେ । କିଛି ସମୟ ପାଇଁ ବ୍ୟବହାରରେ ସୁଧାର ଆସିଥିବାବେଳେ କୋଭିଡ ଦ୍ବିତୀୟ ଲହରରେ ଦମ୍ପତି ନିଜର ଦ୍ବିତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ସେତେବେଳେ ଲକଡାଉନ ସମୟରେ ପୁଣି ଥରେ ମହିଳାଙ୍କ ଠାରେ ପରିଚ୍ଛନ୍ନତାକୁ ନେଇ ପୁନଶ୍ଚ ଅସ୍ବାଭାବିକ ବ୍ୟବହାର ମାତ୍ରାଧିକ ଭାବେ ପ୍ରକାଶ ପାଇବାରେ ଲାଗିଥିଲା ।
ତେବେ ବାରମ୍ବାର ପ୍ରୟାସ କରିବା ପରେ ମଧ୍ୟ ପତ୍ନୀଙ୍କ ଏପରି ବ୍ୟବହାରରେ ପରିବର୍ତ୍ତନ ନଆସିବାରୁ ସ୍ବାମୀ ବେଙ୍ଗାଲୁରୁର ଆରତି ନଗର ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିବା ସହ ଛାଡପତ୍ର ପାଇଁ ମଧ୍ୟ ଆବେଦନ କରିଛନ୍ତି । ସ୍ବାମୀର ଏପରି ଅଭିଯୋଗ ପରେ ଉକ୍ତ ମହିଳାଙ୍କୁ ପୋଲିସ ହେଲ୍ପଲାଇନ ସେଣ୍ଟରକୁ ପଠାଇଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ