ଥିରୁଅନନ୍ତପୁରମ: ତପ, ଜପର ଭୂମି ଭାରତବର୍ଷରେ ବହୁ ଐତିହାସିକ ମନ୍ଦିର, ମଠ ରହିଛି । ନିଆରା ପରମ୍ପରା, ପୂଜାବିଧି, ଗଠନଶୈଳୀ ଓ କିମ୍ବଦନ୍ତୀ ଦୃଷ୍ଟିରୁ ଅନେକ ମନ୍ଦିରର ରହିଛି ସ୍ବତନ୍ତ୍ରତା । ସେଥିମଧ୍ୟରୁ ଅନ୍ୟତମ କେରଳର ଅବନମକୋଡ ସରସ୍ବତୀ ମନ୍ଦିର । ଯାହାକି ବର୍ତ୍ତମାନ ପାସପୋର୍ଟ ମନ୍ଦିର ଭାବେ ଅଧିକ ଜଣାଯାଉଛି । ରାଜ୍ୟରେ ଥିବା ସରସ୍ବତୀ ମନ୍ଦିରଗୁଡିକ ମଧ୍ୟରେ ଏହା ହେଉଛି ପ୍ରମୁଖ ମନ୍ଦିର । ଏଠାରେ ବିଦ୍ୟାରମ୍ଭ ସମାରୋହର ଆୟୋଜନ କରାଯାଇଥାଏ । କୋଚିର ନେଡୁମ୍ବାସେରୀ ବିମାନ ବନ୍ଦର ନିକଟରେ ଅବନମକୋଡ ମନ୍ଦିର ଅବସ୍ଥିତ ।
କାହିଁକି କୁହାଯାଏ ପାସପୋର୍ଟ ମନ୍ଦିର:
ଅବନମକୋଡ ମନ୍ଦିର ନିକଟରେ ନେଡୁମ୍ବାସେରୀ ଅନ୍ତର୍ଜାତୀୟ ଏୟାରପୋର୍ଟ ଖୋଲିବା ପରେ ଲୋକମାନେ ବିମାନ ଯାତ୍ରା କରିବା ପୂର୍ବରୁ ପ୍ରଥମେ ଏଠାକୁ ଆସି ମାଆଙ୍କ ଆର୍ଶୀବାଦ ନେଇଥାନ୍ତି । ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକେ ନିଜ ପାସପୋର୍ଟ ଆଣି ମନ୍ଦିରରେ ପୂଜା କରନ୍ତି । ପ୍ରାୟତଃ ସବୁଦିନ ଏହି ଦୃଶ୍ୟ ଦେଖିବାକୁ ମିଳେ । ଯେଉଁ କାରଣରୁ ଅବନମକୋଡ ସରସ୍ବତୀ ମନ୍ଦିର ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ପାସପୋର୍ଟ ମନ୍ଦିର ଭାବେ ପ୍ରସିଦ୍ଧି ଲାଭ କରିଛି ।
ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା କେରଳ କ୍ଷେତ୍ର ସେବା ଟ୍ରଷ୍ଟର କୋଷାଧ୍ୟକ୍ଷ ସାଜିଶ କେ.ଆର କହିଛନ୍ତି ଯେ, ବିଦେଶୀ ଯାତ୍ରୀମାନେ ନିୟମିତ ଏଠାକୁ ଆସିଥାଆନ୍ତି । ଛାତ୍ରମାନେ ପାଠପଢା ଆରମ୍ଭ କରିବା ପାଇଁ ମନ୍ଦିରରେ ବିଦ୍ୟାରମ୍ଭ ସମାରୋହରେ ସାମିଲ ହୋଇଥାନ୍ତି । ଏହାମଧ୍ୟ ବିଶ୍ବାସ କରାଯାଏ ଯେ, ଆଦି ଶଙ୍କରାଚାର୍ଯ୍ୟ ନିଜର ପ୍ରଥମ ଅକ୍ଷର ଜ୍ଞାନ ଅବନମକୋଡ ମନ୍ଦିରରେ ହିଁ ଦେଇଥିଲେ । ଅବନମକୋଡ ସରସ୍ବତୀ ମନ୍ଦିରରେ ପ୍ରତିଦିନ ବିଦ୍ୟାରମ୍ଭ ସମାରୋହ ଆୟୋଜନ କରାଯାଏ । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀମାନେ ନିଜ ପାଢପଢାରେ ସଫଳତା ପାଇଁ ପ୍ରଥମ ଅକ୍ଷର ଏହିଠାରେ ହିଁ ପଢିଥାନ୍ତି । ବିଶ୍ବାସ ରହିଛି, ଦେବୀ ସରସ୍ବତୀଙ୍କୁ ନବୁ, ମଣି, ନାରାୟମ ଅର୍ପିତ କଲେ ପିଲାମାନେ ଭଲ ଭାବେ କହିବା, ଲେଖିବା ଶିଖିଥାଆନ୍ତି ।
ବିଗତ ୪ ଦଶନ୍ଧି ଧରି ଏହି ମନ୍ଦିରକୁ ଆସୁଥିବା ଅମ୍ମାନୀ ଅମ୍ମା କହିଛନ୍ତି, ''ଏଠି ମାଆଙ୍କ ପାଖରେ ଲାଗି ହେଉଥିବା ଘିଅ ସେବନ କଲେ ପାଠପଢାରେ ପିଲାଙ୍କ ମନ ଲାଗିଥାଏ ଏବଂ ପରୀକ୍ଷାରେ ଭଲ ନମ୍ବର ରଖିଥାନ୍ତି ।'' ଏୟାରପୋର୍ଟରେ ଟ୍ୟାକ୍ସି ଚଳାଉଥିବା ରାଧାକୃଷ୍ଣ କହନ୍ତି, ନେଦୁମ୍ବସେରୀ ବିମାନ ବନ୍ଦରକୁ ଆସୁଥିବା ବିଦେଶୀ ନାଗରିକମାନେ ମଧ୍ୟ ଅବନମକୋଡ ସରସ୍ବତୀ ମନ୍ଦିରକୁ ଆସି ପୂଜାର୍ଚ୍ଚନାରେ ସାମିଲ ହୋଇଥାନ୍ତି ।
ମନ୍ଦିରଟି ବହୁ ପ୍ରାଚନୀ ହୋଇଥିବା ବେଳେ ଏଠାରେ କୌଣସି ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ । କେବଳ ଗୋଟିଏ ପଥର ଅଛି, ଯାହାମଧ୍ୟରେ ଦିବ୍ୟ ଆତ୍ମା ସମାହିତ ହୋଇରହିଛି ବୋଲି ବିଶ୍ବାସ କରାଯାଏ । ମନ୍ଦିର ଦିନକୁ ଦୁଇଥର ଖୋଲିଥାଏ । ପ୍ରଥମେ ସକାଳ ସାଢେ ୫ଟାରୁ ୧୦ଟା ଏବଂ ପୁଣି ସାଢେ ୫ଟାରୁ ସାଢେ ୭ଟା ଯାଏଁ ଖୋଲା ରହିଥାଏ । ବର୍ତ୍ତମାନ କେରଳ କ୍ଷେତ୍ର ସେବା ଟ୍ରଷ୍ଟ ମନ୍ଦିରର ପରିଚାଳନା କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ