ନୂଆଦିଲ୍ଲୀ: ଆରମ୍ଭ ହେବ ବହୁ ପ୍ରତୀକ୍ଷିତ 5G ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା । ଆସନ୍ତା ଜୁନରେ ହେବ ବହୁ ଚର୍ଚ୍ଚିତ ୫-ଜି ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟା । ଏ ନେଇ ଗତକାଲି(ଗୁରବାର) ସୂଚନା ଦେଲେ କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦୂରସଂଚାର ମନ୍ତ୍ରଣାଳୟ ଏହି ଟାଇମଲାଇନକୁ ନଜରରେ ରଖି କାମ କରୁଛି ଏବଂ ସ୍ପେକ୍ଟ୍ରମର ମୂଲ୍ୟକୁ ନେଇ ଟେଲିକମ କମ୍ପାନୀଙ୍କ ଅଭିଯୋଗ ଦୂର କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି । ଜୁନ ପ୍ରଥମ ଭାଗରେ ଏହାର ନିଲାମୀ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) 5G ସେବାକୁ ଲାଗୁ କରିବା ପାଇଁ ପୂରା ପ୍ରସ୍ତୁତି ଜାରି ରଖିଛି । ଏଥିପାଇଁ ଟ୍ରାଇ ୩୦ ବର୍ଷ ପାଇଁ ଆବଣ୍ଟିତ ହେବାକୁ ଥିବା ରେଡିଓ ୱେବ୍ ପାଇଁ ବେସ ପ୍ରାଇସ ୭.୫ ଲକ୍ଷ କୋଟିରୁ ଅଧିକର ମେଗା ନିଲାମୀର ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ସମୟ ଠାରୁ ସରକାରଙ୍କ କାମ ବହୁ ଆଗରେ ରହିଛି ।
TRAI ୩୦ ବର୍ଷ ପାଇଁ ୧ ଲକ୍ଷ ମେଗାହର୍ଜରୁ ଅଧିକ ସ୍ପେକ୍ଟ୍ରମ ପାଇଁ ୭.୫ ଲକ୍ଷ କୋଟି ଟଙ୍କାରୁ ଅଧିକର ମେଗା ନିଲାମୀ ପାଇଁ ସୁପାରିସ କରିଛି। ତେବେ ଯଦି ସରକାର ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ଆବଣ୍ଟନ କରନ୍ତି ତେବେ ଏପରି ସ୍ଥିତିରେ ୫.୦୭ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମୀର ପ୍ରସ୍ତାବ ରହିଛି । ସୂଚନାଅନୁସାରେ, ଟ୍ରାଇ ସ୍ପେକ୍ଟ୍ରମର ମୂଲ୍ୟରେ ୩୯ ପ୍ରତିଶତ ହ୍ରାସ କରିଛି । କିନ୍ତୁ ଏହା ଏବେ ବି ବୈଶ୍ୱିକ ମାନଦଣ୍ଡଠାରୁ ଅଧିକ ରହିଛି ବୋଲି କହିଛି ଟେଲିକମ କମ୍ପାନୀ ।