ଗୌହାଟୀ: ଆସାମରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ବନ୍ୟା ଓ ଭୁସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଏନେଇ ASDMA (Assam State Disaster Management Authority) ପକ୍ଷରୁ ବୁଲେଟିନ ଜାରି କରାଯାଇଛି । ତେବେ ରାଜ୍ୟରେ ଏବେ ସୁଧା ବନ୍ୟା ଯୋଗୁଁ ୨୫ ଜଣ ପ୍ରାଣ ହରାଇଥିବା ବେଳେ ୫ ଜଣ ଭୂସ୍ଖଳନ ଯୋଗୁଁ ଆଖି ବୁଜିଛନ୍ତି ।
ତେବେ ରାଜ୍ୟର ବନ୍ୟା ସ୍ଥିତି ପରକ୍ଷିବା ପାଇଁ ଗୃହ ମନ୍ତ୍ରଣାଳୟର ଇଣ୍ଟର ମିନିଷ୍ଟ୍ରାଲ ସେଣ୍ଟ୍ରାଲ ଟିମ (IMCT) ଗୁରୁବାର ଗୌହାଟୀରେ ପହଞ୍ଚିଛି । ଏହି କେନ୍ଦ୍ରୀୟ ଟିମ୍ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ କରିବା ସହ ରାଜସ୍ବ ଅଧିକାରୀ, ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛି । ତେବେ ଏହି ଟିମ୍ ରାଜ୍ୟରେ ବନ୍ୟା ସ୍ଥିତିର କ୍ଷୟକ୍ଷତି ଆକଳନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ।
ଆସାମରେ ସାଧାରଣତଃ ପ୍ରତ୍ୟକ ବର୍ଷ ମେ ମାସ ଶେଷରୁ ସେପ୍ଟେମ୍ବର ମଧ୍ୟରେ ତିନିରୁ ଚାରିଥର ବନ୍ୟା ଆସିଥାଏ । ତେବେ ଚଳିତ ବର୍ଷ ବନ୍ୟାରେ ୩୨ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ରାସ୍ତା ଘାଟ ଓ ବ୍ରିଜ ଧୋଇ ହୋଇଯାଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA)ର ସୂଚନା ଅନୁଯାୟୀ,୧୨ଟି ଜିଲ୍ଲାର 956 ଗାଁ ଏବେବି ପାଣି ଘେରରେ ରହିଛି । 5,61,149 ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି ।
47139.12 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । କିଛି ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 66,836 ଜଣ ବନ୍ୟା ପୀଡିତଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ରାଜ୍ୟରେ ମୋଟ ବନ୍ୟା ପାଇଁ 295 ରିଲିଫ କ୍ୟାମ୍ପ କରାଯାଇ ଥିବା ବେଳେ 70ଟି ରିଲିଫ କ୍ୟାମ୍ପରେ ଖାଦ୍ୟ ବିତରଣ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ