ଲକ୍ଷ୍ନୌ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି (AAP) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଆଜି ସଂନ୍ଧ୍ୟାରେ ଅଯୋଧ୍ୟାର ସର୍ଯ୍ୟୁ ଘାଟରେ ଆଳତି କରିବେ । ତେବେ ଆସନ୍ତାକାଲି (ମଙ୍ଗଳବାର ) କେଜ୍ରିଓ୍ବାଲ ଶ୍ରୀରାମ ଜନ୍ମଭୂମି ପରିଦର୍ଶନ କରିବା ସହ ରାମଲଲାଙ୍କ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଦଳର ବରିଷ୍ଠ ନେତା ସଂଞ୍ଜୟ ସିଂ ସୂଚନା ଦେଇଛନ୍ତି । ତେବେ ଆସନ୍ତାବର୍ଷ ପ୍ରଥମ ଭାଗରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।
ବିଧାନସଭା ନିର୍ବାଚନରେ ଆପ ମଧ୍ୟ ଏକ ପ୍ରମୁଖ ଦଳ ଭାବେ ସମସ୍ତ ଆସନରେ ମୈଦାନକୁ ଓହ୍ଲାଇ ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା କରିସାରିଛି । ତେବେ ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କ ଅଯୋଧ୍ୟା ଗସ୍ତକୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ମଧ୍ୟ ବିଚାର କରାଯାଉଛି ।
ଆଜି ପୂର୍ବାହ୍ନରେ କେଜ୍ରିଓ୍ବାଲ ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ କରିଥିଲେ । ତେବେ ଆଜି ସଂନ୍ଧ୍ୟାରେ ଆଳତି ପରେ କେଜ୍ରିଓ୍ବାଲ ହନୁମାନଗଡି ମନ୍ଦିର ଯାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି (ମଙ୍ଗଳବାର) ସେ ଶ୍ରୀରାମ ଜନ୍ମଭୂମି ଯାଇ ରାମଲାଲାଙ୍କ ପୂଜାର୍ଚ୍ଚନା କରିବେ । ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ AAP ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରତିଦ୍ବନ୍ଦିତା କରିବ ବୋଲି ଘୋଷଣା କରିସାରିଛି । ଏପରି ସମୟରେ କେଜ୍ରିଓ୍ବାଲଙ୍କ ଗସ୍ତକୁ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ବ ଦିଆଯାଉଛି ।
@ANI