ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କାଶ୍ମୀରରୁ ଧାରା 370 ଉଚ୍ଛେଦ ମାମଲାର ଶୁଣାଣି ବେଳେ ଏକ ବଡ ଟିପ୍ପଣୀ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଧାରା 370 ସହ ଅନୁଚ୍ଛେଦ-35 (କ)ର ଉଚ୍ଛେଦକୁ କୋର୍ଟ ସଠିକ ନିଷ୍ପତ୍ତି ବୋଲି ଦର୍ଶାଇଛନ୍ତି । କହିଛନ୍ତି ଏଥିରେ ଥିବା 3 ସର୍ତ୍ତାବଳୀ ବିବାଦୀୟ ଓ କାଶ୍ମୀରବାସୀଙ୍କ ମୌଳିକ ଅଧିକାର ଛଡାଇ ନେଇଥିଲା । ଏହାକୁ ଲାଗୁ କରାଯିବା ଫଳରେ ସେମାନେ ଦେଶର ଅନ୍ୟ ରାଜ୍ୟ ଓ ପ୍ରାନ୍ତ ତୂଳନାରେ ବିଭିନ୍ନ ସାମାଜିକ ସୁବିଧାରୁ ବଞ୍ଚିତ ହେଉଥିଲେ । ଏହି ଟିପ୍ପଣୀ ସହ କୋର୍ଟ ଏହାର ଉଚ୍ଛେଦ ନିଷ୍ପତ୍ତିକୁ ସଠିକ ବୋଲି ଦର୍ଶାଇଛନ୍ତି ।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିଥିଲେ । ଏହି ଖଣ୍ଡପୀଠରେ ଜଷ୍ଟିସ ଏସକେ କୌଲ, ସଞ୍ଜୀବ ଖାନ୍ନା, ବି.ଆର ଗଭାଇ ଓ ସୂର୍ଯ୍ୟକାନ୍ତ ମଧ୍ୟ ସଦସ୍ୟ ବିଚାରପତି ଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖି ସରକାରଙ୍କ ଉଚ୍ଛେଦ ନିଷ୍ପତ୍ତିକୁ ଯଥାର୍ଥ ବୋଲି ଏକାଧିକ ଦିଗରୁ ଯୁକ୍ତି ବାଢ଼ିଥିଲେ । ଧାରା-370 ଉଚ୍ଛେଦକୁ ଅବୈଧ ଦର୍ଶଇବା ପାଇଁ ହୋଇଥିବା ଆବେଦନର ଆଜି ଶୁଣାଣିରେ ଅନୁଚ୍ଛେଦ 35 (କ) ସମ୍ପର୍କରେ ମଧ୍ଯ ତର୍କ ହୋଇଥିଲା । ହେଲେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏହାକୁ ସାଧାରଣ କାଶ୍ମୀରବାସୀଙ୍କ ମୌଳିକ ସୁବିଧାରୁ ବଞ୍ଚିତ କରୁଥିବା ଦର୍ଶାଇ ଏହା ଉଚ୍ଛେଦ ନିଷ୍ପତ୍ତକୁ ସଠିକ ବୋଲି ଦର୍ଶାଇଛନ୍ତି ।
କୋର୍ଟ କହିଥିଲେ, ଏହି ଅନୁଚ୍ଛେଦରେ ଥିବା 3 ମୁଖ୍ୟ ସର୍ତ୍ତାବଳୀ, ରାଜ୍ୟ ସରକାର ଅଧୀନରେ ନିଯୁକ୍ତି, ଅସ୍ତାବର ସମ୍ପତ୍ତିର ଅଧିଗ୍ରହଣ ଓ ରାଜ୍ୟରେ ନିବାସ ନିୟମ ସାଧାରଣ କାଶ୍ମୀରବାସୀଙ୍କୁ ମୌଳିକ ସୁବିଧା ଓ ସାମାଜିକ ଅଧିକାରରୁ ବଞ୍ଚିତ କରୁଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ । ମେହେଟ୍ଟା କହିଥିଲେ, ଏହି ଅନୁଚ୍ଛେଦ କାରଣରୁ କାଶ୍ମୀରରେ ବର୍ଷ ବର୍ଷ ଧରି ରହୁଥିବା ଅଣସ୍ଥାନୀୟଙ୍କୁ ଭିନ୍ନ ଗୋଷ୍ଠୀ ଭାବେ ବିଚାର କରାଯାଉଥିଲା । କାଶ୍ମୀରର ମୂଳ ବାସିନ୍ଦାଙ୍କୁ କାଶ୍ମୀରର ମୁଖ୍ୟ ଗୋଷ୍ଠୀ ଭାବେ ବିବେଚିତ କରାଯାଉଥିଲା । ସେଠାରେ ଦଶନ୍ଧି ଧରି ରହିବା ସତ୍ତ୍ବେ ମଧ୍ୟ କାଶ୍ମୀର ବାହାରୁ ଆସିଥିବା ବର୍ଗକୁ ସେଠାରେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ୁଥିଲା । ସେମାନେ ସେଠାରେ ଜମି କିଣି ପାରୁନଥିଲେ । ନିବେଶ ମଧ୍ୟ କରି ପାରୁନଥିଲେ ।
ଏହା ମଧ୍ୟ ପଢନ୍ତୁ:- Article 370 case: ଅଗଷ୍ଟରୁ ଶୁଣାଣି ଆରମ୍ଭ କରିପାରନ୍ତି ସର୍ବୋଚ୍ଚ କୋର୍ଟ
2019 ମସିହାରେ ମୋଦି ସରକାରର ପ୍ରଥମ ପାଳିର ଅନ୍ତିମ ବର୍ଷରେ ଏହି ବହୁଚର୍ଚ୍ଚିତ ସଂଶୋଧନ ବିଲ ସଂସଦରେ ପାରିତ ହୋଇଥିଲା । ଯାହା ସାହାଯ୍ୟରେ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରୁଥିବା ବିବାଦୀୟ ଧାରା-370 ଓ ଅନୁଚ୍ଛେଦ 35-(କ)କୁ ଉଚ୍ଛେଦ କରାଯାଇଥିଲା । ଏହି ଦୁଇ ସ୍ବତନ୍ତ୍ର କ୍ଷମତା ପ୍ରଦାନକାରୀ ଅନୁଚ୍ଛେଦକୁ ଉଚ୍ଛେଦ କରିବା ପରେ କାଶ୍ମୀରକୁ ରାଜ୍ୟପ୍ୟାହାରୁ ବାଦ ଦେଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରାଯାଇଥିଲା । ଜମ୍ମୁ ଓ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଓ ଲଦାଖ ଦ୍ବିତୀୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ନାମିତ ହୋଇଥିଲା । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଅବୈଧ ଓ ଅସାମ୍ବିଧାନିକ ଦର୍ଶାଇ ଏକାଧିକ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଯାହାର ଶୁଣାଣି ଗତ ଦୀର୍ଘ 4 ବର୍ଷ ଧରି ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ