ରାଞ୍ଚି: ବିଳମ୍ବିତ ରାତିରେ ଘରକୁ ଫେରିଲେ ଭଡାଟିଆ । ରାଗ ସହିନପାରି ଭଡାଟିଆକୁ ଗୁଳି ମାଡ କଲା ଘର ମାଲିକ । ଏଭଳି ଘଟଣା ଘଟିଛି ଝାଡଖଣ୍ଡ ରାଞ୍ଚିର ଏୟାରପୋର୍ଟ ପୋଲିସ ଷ୍ଟେସନ ଅଞ୍ଚଳରେ । ଗୁଳି ମାଡ କରିଥିଲା ଘର ମାଲିକ ଜଣକ ଜଣେ ସେନା କର୍ମଚାରୀ ହୋଇଥିବା ଜଣାପଡିଛି । ଆହତ ହୋଇଥିବା ଭଡାଟିଆ ଜଣଙ୍କ ହେଉଛନ୍ତି ହରିଲାଲ ଯାଦବ । ଏନେଇ ଥାନାରେ ଅଭିଯୋଗ ପରେ ଶେଷରେ ସେନା କର୍ମଚାରୀ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ-ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ, ଜାମନଗରରେ ଜରୁରୀ ଅବତରଣ
ଖୋଖମା ଟୋଲି ଅଞ୍ଚଳରେ ସେନା କର୍ମଚାରୀ ରାଜେଶ ତିଓ୍ବାରୀଙ୍କ ଘରେ ହରିଲାଲ ଯାଦବ ନାମ ଜଣେ ଯୁବକ ଭଡାରେ ରହୁଥିଲେ । କିନ୍ତୁ ଭଡାଟିଆ ହରିଲାଲ ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ କାମ ସାରି ଘରକୁ ଫେରନ୍ତି । ଯାହାକୁ ଦେଖି ଘର ମାଲିକ ସହ୍ୟ କରିପାରିନଥିଲେ । ଗତ ରବିବାର ଦିନ ଭଡାଟିଆ ଜଣଙ୍କ ଘରକୁ ବିଳମ୍ବିତ ରାତିରେ ଫେରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସେନା କର୍ମଚାରୀ ରାଜେଶ ହରିଲାଲ ଯାଦବଙ୍କୁ କହିଥିଲେ ଯେ ଯଦି ପୁଣି ଭିଳମ୍ବିତ ରାତିରେ ଘରକୁ ଫେର ତବେ ଘର ଗେଟ ଖୋଲାଯିବ ନାହିଁ । ଗେଟ ଖୋଲିବା ପାଇଁ ରାତିରେ ଉଠିବା କଷ୍ଟକର । ଏହା ଉପରେ ଭଡାଟିଆ ଜଣଙ୍କ ତାଙ୍କୁ ଆଉ ଏକ ଚାବି ଦେବାକୁ କହିଥିଲେ।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପର ମୂହୁର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେନା କର୍ମଚାରୀ ଜଣଙ୍କ ତାଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରେ ହରିଲାଲଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ହରିଲାଲଙ୍କ ଗୋଡରେ ଗୁଳି ବାଜିଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ସେନା କର୍ମଚାରୀ ରାଜେଶ ତିଓ୍ବାରୀଙ୍କୁ ଗିରଫ କରିଥିଲା । ଏଥିସହ ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ମଧ୍ୟ ପୋଲିସ ଜବତ କରିଥିଲା । ଏହି ଘଟଣାରେ ଏବେ ବି ତଦନ୍ତ ଜାରି ରଖିଛି ପୋଲିସ ।