ପ୍ରୟାଗରାଜ: ଦେଶପ୍ରେମ, ବୀରତା ଓ ସାହସିକତାର ଅତୁଲ୍ୟ ଉଦାହରଣ ହେଉଛନ୍ତି ଚନ୍ଦ୍ର ଶେଖର ଆଜାଦ । ସ୍ବାଧୀନତା ସଂଗ୍ରାମରେ ଏହି ଅମର ଶହୀଦଙ୍କ ଅତୁଳନୀୟ ଅବଦାନ ରହିଥିଲା । ଏହି ମହାନ ଆତ୍ମାଙ୍କ ଜୀବନ ସହ ମୃତ୍ୟୁ ମଧ୍ୟ ପ୍ରେରଣା ଦିଏ । ଏହି ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଆଜି ଆମେ ସ୍ବାଧୀନ ଭାରତରେ ଶାନ୍ତିରେ ନିଃଶ୍ବାସ ନେଇ ପାରୁଛୁ । ଗୋରା ସରକାରଙ୍କ ଗୋଲାମୀରୁ ମୁକ୍ତ ହେବା ପାଇଁ ଅନେକ କ୍ରାନ୍ତିକାରୀ ପ୍ରାଣବଳି ଦେଇଛନ୍ତି ।
ପିଲାଟି ଦିନରୁ ସ୍ବାଧୀନତା ସଂଗ୍ରାମ ଆରମ୍ଭ
ମହାନ ଆତ୍ମା ଚନ୍ଦ୍ର ଶେଖର ଆଜାଦ ୧୯୦୬ରେ ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଭାବରା ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ଚନ୍ଦ୍ର ଶେଖର ଆଜାଦଙ୍କ ବାପା ଅକାଳ ମରୁଡ଼ି ସମୟରେ ଉତ୍ତର ପ୍ରଦେଶରେ ପୈତୃକ ସ୍ଥାନ ବଦରକା ଛାଡ଼ ମଧ୍ୟ ପ୍ରଦେଶ ଚାଲି ଆସିଥିଲେ । ସେ ଭାବରା ଗାଁରେ ନିଜ ପରିବାର ବସାଇଥିଲେ ।
ମାତ୍ର ୧୫ ବର୍ଷ ବୟସରେ ହିଁ ଚନ୍ଦ୍ର ଶେଖର ଆଜାଦ ସ୍ବାଧୀନତା ସଂଗ୍ରାମ ଆରମ୍ଭ କଲେ । ୧୯୨୧ରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇ ଆଗକୁ ବଢି଼ବାକୁ ଲାଗିଲେ । ଏଥିରେ ତାଙ୍କୁ ଯୁବଗୋଷ୍ଠୀଙ୍କ ସମର୍ଥନ ମିଳିବାରେ ଲାଗିଥିଲା । ଯେଉଁଥିପାଇଁ ତାଙ୍କୁ ସଂଗ୍ରାମ କରିବାକୁ ପ୍ରେରଣା ମିଳିଥିଲା ।
ଚନ୍ଦ୍ର ଶେଖର ତିୱାରୀରୁ ହେଲେ ଚନ୍ଦ୍ରଶେଖର ଆଜାଦ
ଅସହଯୋଗ ଆନ୍ଦୋଳନ ସମୟରେ ଗିରଫ ହୋଇ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେଲେ ଆଜାଦ । ମାଜିଷ୍ଟ୍ରେଟ ନାଁ ପଚାରିବାରୁ ସେ ଅତି ବେବାକ ଅନ୍ଦାଜରେ କହିଲେ ଆଜାଦ । ପିତାଙ୍କ ନାମ ପଚାରିବାରୁ କହିଥିଲେ ସ୍ବତନ୍ତ୍ରତା ଓ ବାସସ୍ଥାନ ପଚାରିବାରୁ କହିଲେ କହିଲେ ଜେଲ୍ । ଚନ୍ଦ୍ରଶେଖରଙ୍କ ଏହି ଉତ୍ତରରେ ଉତକ୍ଷିପ୍ତ ହୋଇ ମାଜିଷ୍ଟ୍ରେଟ୍ ତାଙ୍କୁ ୧୫ ଚାବୁକ ପାହାର ଦଣ୍ଡ ଦେଲେ । ଯେତେବେଳେ ତାଙ୍କ ଉପରେ ଚାବୁକ ପାହାର ବସୁଥିଲା, ପାଟିରୁ ଗୋଟିଏ ସ୍ଲୋଗାନ୍ ବାହାରୁଥିଲା, ଭାରତ ମାତା କି ଜୟ । ବାସ୍, ଏ ସେହି ଦିନ ଥିଲା, ଯେବେ ଚନ୍ଦ୍ରଶେଖର ତିୱାରୀରୁ ଚନ୍ଦ୍ରଶେଖର ଆଜାଦ ଭାବେ ପରିଚିତ ହେଲେ ।
ମହତ୍ମା ଗାନ୍ଧୀଙ୍କଠାରୁ ଫେରାଇ ନେଲେ ମୁହଁ
୧୯୨୨ ଚୌରିଚୌରା କାଣ୍ଡରେ ୨୧ ପୋଲିସ କନଷ୍ଟେବଳ ଓ ଜଣେ ସବ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ମର୍ମାହତ ହୋଇ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଘୋଷଣାରେ ଯୁବଗୋଷ୍ଠୀଙ୍କ ସମେତ ଚନ୍ଦ୍ର ଶେଖର ଆଜାଦ ମଧ୍ୟ ଦୁଃଖୀ ଓ ଆକ୍ରୋଶିତ ହୋଇ ପଡ଼ିଥିଲେ । ସେହି ଦିନ ପରଠୁ ମହାତ୍ମା ଗାନ୍ଧୀଙ୍କଠାରୁ ତାଙ୍କ ମୋହ ଭଙ୍ଗ ହୋଇଥିଲା ।
ସେ ସ୍ବତନ୍ତ୍ର ଭାବେ ସ୍ବାଧୀନତା ସଂଗ୍ରାମ କରିବାକୁ ନିଷ୍ପତ୍ତି ନେଲେ । ଚନ୍ଦ୍ର ଶେଖର ଆଜାଦଙ୍କୁ ମନ୍ମଥ ଗୁପ୍ତା, ପଣ୍ଡିତ ରାମ ପ୍ରସାଦ ବିଶ୍ମିଲ୍, ରାଚିନ୍ଦ୍ରନାଥ ସାନ୍ୟାଲ ଓ ଅଶଫାକ୍ ଉଲ୍ଲା ଖାନ୍ଙ୍କ ସମର୍ଥନ ମିଳିଲା । ଏମାନେ ମିଶି କାକୋରୀ କାଣ୍ଡ ସହ ଅନ୍ୟ ବହୁ ବଡ଼ବଡ଼ ଘଟଣାକୁ ସମ୍ପାଦନ କଲେ । ୧୯୨୮ରେ ଦିଲ୍ଲୀର ଫିରୋଜ ଶାହ କୋଟଲା ମୈଦାନରେ ଉତ୍ତର ଭାରତର ବହୁ କ୍ରାନ୍ତିକାରୀ ଦଳର ପ୍ରମୁଖ ନେତାଙ୍କ ସହ ଗୁପ୍ତ ବୈଠକ ହେଲା । ଯେଉଁଥିରେ କ୍ରାନ୍ତିକାରୀ ଗତିବିଧି ସହ ଜଡ଼ିତ ହୋଇ ସେ ରିପବ୍ଲିକାନ ଆସୋସିଏସନର ସକ୍ରିୟ ସଦସ୍ୟ ହୋଇ ପାରିଥିଲେ । ଏହି ଆସୋସିଏସନର ସେ ଥିଲେ କମାଣ୍ଡର-ଇନ୍-ଚିଫ୍ ।
ଅଲ୍ଫ୍ରେଡ ପାର୍କରେ ନେଲେ ଶେଷ ନିଃଶ୍ବାସ
୧୯୩୧ ମସିହା ଫେବ୍ରୁଆରୀ ୨୭ ତାରିଖରେ ପ୍ରୟାଗରାଜରେ ଚନ୍ଦ୍ର ଶେଖର ନିଜ ସାଥିଙ୍କ ସହ ସ୍ବାଧୀନତା ସଂଗ୍ରାମର ଯୋଜନା କରୁଥିଲେ । ସେହି ସମୟରେ ଇଂରେଜମାନେ ତାଙ୍କୁ ଚାରିଆଡ଼ୁ ଘେରି ଯାଇଥିଲେ । ଚନ୍ଦ୍ର ଶେଖର ନଜ ପିସ୍ତଲ କାଢ଼ି ସାଥୀମାନଙ୍କୁ ସେଠାରୁ ଖସି ଯିବାକୁ କହିଲେ । ଏହାପରେ ଆରମ୍ଭ ହେଲା ଇଂରେଜ ସୈନ୍ୟଙ୍କ ସହ ସଂଘର୍ଷ । ଦୀର୍ଘ ସମୟ ଧରି ବହୁ ଇଂରେଜମାନଙ୍କୁ ଘାଇଲା କରିବା ସହ ୩ ଜଣଙ୍କୁ ହତ୍ୟା କରିଥିଲେ । ପରେ ଶେଷ ଗୁଳି ବଞ୍ଚିଥିଲା । ସେ ଶତ୍ରୁ ଗୁଳିରେ ମରିବାକୁ ଚାହୁଁନଥିଲେ । ପାଖରେ ପଡ଼ି ମାଟିକୁ ମୁଣ୍ଡରେ ଲଗାଇ ସେହି ଗୁଳିରେ ନିଜ ଜୀବନର ଅଧ୍ୟାୟ ଶେଷ କରି ଦେଲେ ।
ବମତୁଲ୍ ବୁଖାରାକୁ ଖୁବ୍ ଭଲ ପାଉଥିଲେ
ଚନ୍ଦ୍ରଶେଖର ନିଜ ପିସ୍ତଲକୁ ଖୁବ୍ ଭଲ ପାଉଥିଲେ । ଏଥିପାଇଁ ନିଜ ପିସ୍ତଲକୁ ସେ ବମ୍ତୁଲ୍ ବୁଖାରା ବୋଲି କହୁଥିଲେ । ଏହି ପିସ୍ତଲକୁ ସେହି ସମୟରେ ଇଂରେଜମାନେ ନେଇ ଯାଇଥିଲେ । କିନ୍ତୁ ସ୍ବାଧୀନତା ପରେ ୧୯୭୬ ମସିହା ଜୁଲାଇ ୩ ତାରିଖରେ ଅଲଫ୍ରେଡ ପାର୍କ ଥିବା ଆହ୍ଲାବାଦ ସଂଗ୍ରହାଳୟକୁ ଅଣାଯାଇଥିଲା । ଏଠାରେ ସେହି ପିସ୍ତଲ ସୁରକ୍ଷିତ ଭାବରେ ରହିଛି । ଏହାଏକ ୦.୩୨ କୋଲ୍ଡ ବାର ଅଟୋମେଟିକ୍ ପିସ୍ତଲ । ଏଥିରେ ଗୋଟିଏ ମାଗାଜିନରେ ୮ଟି ଗୁଳି ରହିପାରିବ । ଏଥିରୁ ଫାୟାରିଂ କରିବା ପରେ ଧୂଆଁ ବାହାରେ ନାହିଁ ।
୯୦ ବର୍ଷ ପୂର୍ବରୁ ଚନ୍ଦ୍ର ଶେଖର ଯେଉଁସ୍ଥାନରେ ଶହୀଦ ହୋଇଥିଲେ ସେହି ସ୍ଥାନର ଆଜି ଏକ ତାଙ୍କ ପ୍ରତିମୂର୍ତ୍ତି ତିଆରି ହୋଇଛି । ଆଜି ଲୋକ ଏଠାକୁ ଆସିଲେ ଚନ୍ଦ୍ର ଶେଖରଙ୍କ ପ୍ରତିମୂର୍ତ୍ତି ପ୍ରତି ଅପାର ଭକ୍ତି କରନ୍ତି । କିନ୍ତୁ ସେ ଯେଉଁ ଗଛ ମୂଳରେ ଶହୀଦ ହୋଇଥିଲେ ତାହା ଆଉ ନାହିଁ । ଆଜି ଏହି ସ୍ବାଧୀନତା ସଂଗ୍ରାମୀଙ୍କ କଥା ମନେ ପଡ଼ିଲେ ଦେହ ସିହରି ଉଠେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ