ବେଙ୍ଗାଲୁରୁ: ପୁରୁଷ ବନ୍ଧୁଙ୍କୁ ଭେଟିବା ପାଇଁ ଦୁବାଇରୁ ଆସି ଆପାର୍ଟମେଣ୍ଟରୁ ଡେଇଁପଡ଼ିଲେ ପ୍ରେମିକା । ବେଙ୍ଗାଲୁରୁ ସ୍ଥିତ କୋରମଙ୍ଗଳ ଅଞ୍ଚଳ ଏକ ରେସିଡେନ୍ସିରେ ଏଭଳି ଏକ ଅଭାବନୀୟ ଘଟଣା ଘଟଛି । ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଡେଇଁ ଜୀବନ ହାରିଥିବା ପୋଲିସ ସୂଚନା ଦେଇଛି। ଯୁବତୀ ଜଣକ ହେଉଛନ୍ତି ୨୮ ବର୍ଷୀୟ ଅର୍ଚ୍ଚନା । ହିମାଚଳ ପ୍ରଦେଶର ମୂଳ ବାସିନ୍ଦା ଅଟନ୍ତି ।
ଅର୍ଚ୍ଚନା ବୃତ୍ତିରେ ଜଣେ ଏୟାର ହୋଷ୍ଟେସ ଅଟନ୍ତି । ଦୁବାଇରେ ଏକ ପ୍ରତିଷ୍ଠିତ ବିମାନ କମ୍ପାନୀରେ ସେ କାର୍ଯ୍ୟରତ ଥିଲେ । ବେଙ୍ଗାଲୁରୁରେ ଏକ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟରତ ତାଙ୍କ ପୁରୁଷ ବନ୍ଧୁ ଆଦେଶଙ୍କୁ ଭେଟିବା ପାଇଁ ଦୁବାଇରୁ ଆସିଥିଲେ ଅର୍ଚ୍ଚନା । ଆଦେଶ ମାଙ୍ଗାଲୁରୁ ନିବାସୀ ହୋଇଥିବା ବେଳେ ବେଙ୍ଗାଲୁରୁରେ ଆସି ରହୁଛନ୍ତି । ଗତ ୬ ମାସ ଧରି ଦୁହେଁ ପ୍ରେମ ସମ୍ପର୍କରେ ଥିଲେ । ତେଣୁ ପୁରୁଷ ବନ୍ଧୁଙ୍କୁ ଭେଟିବା ପାଇଁ ସେ ବେଙ୍ଗାଲୁରୁ ଆସିଥିଲେ । ଏହି ସମୟରେ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ ହୋଇଥିଲା । ଏହା ପରେ ଏହି ଅଘଟଣ ଘଟିଥିଲା । ଅର୍ଚ୍ଚନା ଉକ୍ତ ଆପାର୍ଟମେଣ୍ଟର ଚାରି ମହଲାରୁ ଡେଇଁପଡ଼ିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।
ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘଟଣାର ତଦନ୍ତ କରି ପୁରୁଷ ବନ୍ଧୁ ଆଦେଶକୁ ପଚରାଉଚରା କରୁଛି ପୋଲିସ । ଏନେଇ ଦକ୍ଷିଣ-ପୂର୍ବ ବିଭାଗ ଡିସିପି ସି.କେ ବାବୁ ସୂଚନା ଦେଇ କହିଛନ୍ତି," ଆପାର୍ଟମେଣ୍ଟ ଏବଂ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଘଟଣାର ତଦନ୍ତ ଜାରି ରହିବା ସହ ଅର୍ଚ୍ଚନାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।
ପ୍ରକାଶ ଥାଉକି, ନିକଟରେ ଲିଙ୍ଗ ପରିବର୍ତ୍ତନ ପରେ ମାନସିକ ଚାପରେ ରହି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ମହାରାଷ୍ଟ୍ରର ଗୋରେଗାଓଁ ଜନବନ୍ତନଗରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ମୃତ ମହିଳା ଜଣକ ହେଉଛନ୍ତି ୩୭ ବର୍ଷୀୟ ଜୋଏନା । ମହିଳାଙ୍କ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ପାଖରୁ ପୋଲିସ ଏକ ସୁଇସାଇଡାଲ ନୋଟ୍ ଜବତ କରିଥିଲା ପୋଲିସ । ଯେଉଁଥିରେ ସେ ମାନସିକ ଚାପରେ ରହି ଜୀବନ ହାରିଥିବା କଥା ଲେଖିଥିଲେ । ସେ ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିଲେ । ହେଲେ ସମାଜ ଗ୍ରହଣ ନକରିବାରୁୁ ସେ ମାନସିକ ଚାପରେ ଥିଲେ । ପରିଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସେ ନୋଟରେ ଲେଖିଥିଲେ ।