ନୂଆଦିଲ୍ଲୀ: ଗୁରୁବାର ନିମ୍ନସଦନ ଲୋକସଭାରେ ପାରିତ ହୋଇଥିବା ବହୁଚର୍ଚ୍ଚିତ ‘ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ’ ଆଜି (ସୋମବାର) ଉଚ୍ଚସଦନ ରାଜ୍ୟସଭାରେ ଆଗତ ହେବାକୁ ଯାଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍କୁ ରାଜ୍ୟସଭାରେ ଆଗତ କରିବେ । ଗୁରୁବାର ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ବହୁଚର୍ଚ୍ଚିତ ତଥା ବିବାଦୀୟ ବିଲ ମୌଖିକ ଭୋଟିଂ ମାଧ୍ୟମରେ ପାରିତ ହୋଇଥିଲା । ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟି ଏହାକୁ ଅଗଣତାନ୍ତ୍ରିକ ଆଇନ ବୋଲି କହିବା ସହ କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲା । ଏହି ବିଲ୍ ଆଜି ରାଜ୍ୟସଭାରେ ଆଗତ ହୋଇ ଚର୍ଚ୍ଚା ହେବାକୁ ଯାଉଛି ।
ଦିଲ୍ଲୀ ସେବା ବିଲ୍କୁ ନେଇ ଗୁରୁବାର ନିମ୍ନସଦନ ଲୋକସଭାରେ ବିତର୍କ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ସରକାର ଏବଂ ବିରୋଧୀ ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଥିଲେ । ତେବେ ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ବେ ମଧ୍ୟ ଏକକ ସଂଖ୍ୟା ଗରିଷ୍ଠତା ଥିବା ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ପାଇଁ ଏହାକୁ ପାରିତ କରିବାରେ କୌଣସି ବାଧା ସୃଷ୍ଟି ହୋଇନଥିଲା ।
ଗୁରୁବାର ଏହି ବିଲ୍କୁ ନେଇ ଚର୍ଚ୍ଚା ବେଳେ ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଏହି ବିଲ ସମ୍ପର୍କରେ ମତଦାନ ସମୟରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଗୃହରେ ବିରୋଧୀଙ୍କୁ ମତ ରଖିବାର ସୁଯୋଗ ମିଳୁନାହିଁ, ତେଣୁ ସେମାନେ କକ୍ଷତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଥିଲେ ।
ଏହା ମଧ୍ୟ ପଢନ୍ତୁ:-Delhi Service Bill: ଲୋକସଭାରେ ପାରିତ, ବିରୋଧୀଙ୍କ କକ୍ଷତ୍ୟାଗ
ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ନିକଟରେ ରାଜ୍ୟସଭାରେ ଏହାକୁ ପାରିତ କରିବା ପାଇଁ ସଂଖ୍ୟା ନଥିଲେ ସୁଦ୍ଧା, ଏକାଧିକ ଅଣ ଏନଡିଏ ଦଳ ସମର୍ଥନ ଘୋଷଣା କରିସାରିଛନ୍ତି । ଜଗନଙ୍କ ନେତୃତ୍ବାଧୀନ ଓ୍ବାଇଏସଆର କଂଗ୍ରେସ,ନବୀନ ପଟ୍ଟନାୟଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏହି ବିଲକୁ ଉଭୟ ଗୃହରେ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି । ଏହି କ୍ରମରେ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ଏହି ବିଲ ପାରିତ ହେବାର ସମ୍ଭାବନା ପ୍ରାୟତଃ ସ୍ପଷ୍ଟ ହୋଇଛି । ଉଭୟ ସଦନରେ ପାରିତ ହେବାକୁ ଯାଉଥିବା ଏହି ବିଲ୍ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଆଇନଗତ ଲଢେଇ ଜାରି ରଖିଛି ଆପ୍ ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ