ଚଣ୍ଡିଗଡ: କିଛି ଦିନର ବିରତି ପରେ ଏବେ ଦେଶରେ ହୁ ହୁ ହୋଇ ପୁଣି ବଢିଚାଲିଛି ସଂକ୍ରମଣ । ଓମିକ୍ରନ ମାମଲା ସହ ଦୈନିକ ହଜାର ହଜାର ପଜିଟିଭ ମାମଲା ବିଭିନ୍ନ ରାଜ୍ୟରୁ ପ୍ରକାଶ ପାଉଛି । ହରିୟାଣାରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତ ଆଦି ୫ ଜିଲ୍ଲାରେ ନୂଆ କଟକଣା ଜାରି କରିଛନ୍ତି । ଏହିସବୁ ଜିଲ୍ଲାରେ ସିନେମା ହଲ, ଥିଏଟର, ସ୍କୁଲ, କଲେଜ ଏବଂ ଜିମ୍ କେନ୍ଦ୍ରଗୁଡିକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ଏହି କଟକଣା ଲାଗୁ ହୋଇଛି ।
ଜାନୁୟାରୀ ୧୨ ତାରିଖ ଯାଏଁ ୫ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ । ଏଥିସହ ବଜାରଘାଟ ଅପରାହ୍ନ ୫ଟା ଯାଏଁ ହିଁ ଖୋଲା ରହିବ । ବାର୍ ଏବଂ ରେସ୍ତୋରାଁ ସମେତ ଜରୁରୀକାଳୀନ ତଥା ଅତ୍ୟାବଶ୍ୟକୀୟ ସେବା ପ୍ରଦାନକାରୀ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବ୍ୟତୀତ ବାକି ସବୁ ଅଫିସ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବେ । ସେହିପରି ସ୍ବିମିଙ୍ଗ ପୁଲ୍ କେବଳ ଟ୍ରେନିଂ ଉଦ୍ଦେଶ୍ୟର ଖୋଲା ରହିବ । ଦାହ ସଂସ୍କାର ଏବଂ ବିବାହ କାର୍ଯ୍ୟକ୍ରମରେ ଯଥାକ୍ରମେ ୫୦ ଏବଂ ୧୦୦ ଲୋକ ସାମିଲ ହୋଇପାରିବେ ।
ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ବହୁ ଅଧିକ ରହୁଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଏହିସବୁ ଜିଲ୍ଲାରେ ନୂଆ ଗାଇଡଲାଇନ ଜାରି ହୋଇଛି । ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଆଜି ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।