ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସପରିବାର କୋରୋନା ସଂକ୍ରମିତ ହୋଇଛନ୍ତି । ଅଖିଳେଶଙ୍କ ସମେତ ପତ୍ନୀ ଡିମ୍ପଲ ଓ ଝିଅ ଟିନା କୋରୋନାରେ ସଂକ୍ରମିତ ହୋଇଥିବା ଟେଷ୍ଟରୁ ଜଣାପଡିଛି । ତେବେ ରିପୋର୍ଟ ଆସିବା ପରେ ସମସ୍ତେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନିଜ ଆଡୁ କୋରୋନା ପରୀକ୍ଷା କରାଇବା ପାଇଁ ଅନୁରୋଧ କରିଛନ୍ତି ଅଖିଳେଶଙ୍କ ପତ୍ନୀ ଡିମ୍ପଲ ।
ଅଖିଳେଶଙ୍କ ଝିଅ ଟିନା କିଛି ଦିନ ହେବ ଅଷ୍ଟ୍ରେଲିଆରୁ ଫେରିଥିଲେ । ତେବେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେହିପରି ଅଖିଳେଶଙ୍କ ପରିବାର ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ନମୁନା ସଂଗ୍ରହ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ତେବେ ଦ୍ବିତୀୟ ଲହର ସମୟରେ ମଧ୍ୟ ଅଖିଳେଶ ସଂକ୍ରମିତ ହୋଇ କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ବର୍ତ୍ତମାନ ଉତ୍ତରପ୍ରଦେଶରେ କୋଭିଡ ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଗତ କିଛି ଦିନ ଅପେକ୍ଷା ଗତ 20 ଦିନରେ ସଂକ୍ରମଣ ମାମଲା ଦ୍ୱିଗୁଣା ରେକର୍ଡ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ