ନୂଆଦିଲ୍ଲୀ: ଶୀତ ଆରମ୍ଭ ନହେଉଣୁ ବେହାଲ ହେଲାଣୀ ରାଜଧାନୀ ଦିଲ୍ଲୀର ଅବସ୍ଥା । ଦିଲ୍ଲୀ ଏନ୍ସିଆର୍ରେ ବିଷାକ୍ତ ହେଲାଣି ପରିବେଶ । ଶୀତ ଦିନ ଆରମ୍ଭ ନହେଉଣୁ ଏଠାରେ ବାୟୁର ମାନ ଅତି ନିମ୍ନ ସ୍ତରକୁ ଯିବାକୁ ବସିଲାଣି । ଏହା ମଧ୍ୟରେ ସରକାର ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀରେ ଟ୍ରକ୍ ପ୍ରବେଶ ଓ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରେଡେଡ ରେନପନ୍ସ ଆକ୍ସନ ପ୍ଲାନ(ଜିଆରଏପି)ର ଚତୁର୍ଥ ପର୍ଯ୍ୟାୟ ଲାଗୁ କରାଯାଇଛି ।
ତେବେ ଦିଲ୍ଲୀ ଏନସିଆରେ ବାୟୁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଦିଲ୍ଲୀରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ବାୟୁର ମାନ ତଳକୁ ଖସୁଥିବା ବେଳେ ଏହାକୁ ନେଇ ସଙ୍କଟ ସୃଷ୍ଟି କରିଛି । ଦିଲ୍ଲୀ ଏନ୍ସିଆର୍ର ବାୟୁ ଲଗାତାର ବିଷାକ୍ତ ହୋଇ ଚାଲିଛି । ତେବେ ପୂର୍ବରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁସାରେ ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ସ୍ତର ଗମ୍ଭୀର ବିଭାଗରେ ରହିଛି । ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 500 ରହିଛି । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ପୂର୍ବରୁ ଆସନ୍ତା 10 ତାରିଖ ଯାଏଁ ଦିଲ୍ଲୀରେ ସ୍କୁଲ ଛୁଟି ଘୋଷଣା ହୋଇଛି ।
ଏହାମଧ୍ୟ ପଢନ୍ତୁ..Delhi air pollution: ବିଷ ବଳୟରେ ଦିଲ୍ଲୀ, 10 ଯାଏଁ ସ୍କୁଲ ଛୁଟି
ଆସନ୍ତା 10 ତାରିଖ ଯାଏଁ ଦିଲ୍ଲୀରେ ପ୍ରାଥମିକ ସ୍କୁଲ ବନ୍ଦ ରହିବ । ଷଷ୍ଠରୁ ଦ୍ବାଦଶ ଶ୍ରେଶୀ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ହୋଇଛି । ଅନଲାଇନ ପାଠପଢା ପାଇଁ ନେଇ ବିକଳ୍ପ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଶୁକ୍ରବାର ଓ ଶନିବାର ସ୍କୁଲ ବନ୍ଦ ଘୋଷଣା କରିଥିଲେ ସରକାର । ଆସନ୍ତା 10 ତାରିଖ ଯାଏଁ ପ୍ରାଥମିକ ସ୍କୁଲ୍ ଛୁଟି ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି । ଏହା ପୂର୍ବରୁ ଶୁକ୍ରବାର ଓ ଶନିବାର ଦିଲ୍ଲୀର ସମସ୍ତ ପ୍ରାଥମିକ ସ୍କୁଲ୍ ଦୁଇ ଦିନ ବନ୍ଦ ରହିଥିଲା ।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିଛି । ଚାରିଆଡେ କେବଳ ଧୂଆଁମୟ ଦେଖାଯାଉଛି । ଗୋଟିଏ ମିଟର ଦୂର ଯାଏଁ କିଛି ଦେଖା ଯାଉନାହିଁ । ପ୍ରଦୂଷଣର ଏକ ଆସ୍ତରଣ ଜମିଛି । ନିଶ୍ବାସ ପ୍ରଶ୍ବାସ ନେଇ ପାରୁ ନାହାନ୍ତି ରାଜଧାନୀବାସୀ । ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇଛି । ଚର୍ମ, ଆଖି, ନାକରେ ଜ୍ବଳନ ହେଉଛି । ସ୍ଥିତିକୁ ନଜରରେ ରଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ବେଳେ ବର୍ତ୍ତମାନ ଟ୍ରକ ଚଳାଚଳ ଓ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ସରକାର । ଅନ୍ୟପଟେ ଶୀତ ଯେତେ ବୃଦ୍ଧି ପାଇବ ବାୟୁର ମାନ ଆହୁରି ତଳସ୍ତରକୁ ଯିବ ନେଇ ଆଶଙ୍କା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ