ରାଞ୍ଚି : ଚଳନ୍ତା ଟ୍ରେନରେ ଶିଶୁକୁ ଜନ୍ମ ଦେଲେ ମହିଳା । ଝାଡଖଣ୍ଡର ଟାଟାନଗରରୁ ଭୁବନେଶ୍ବର ଆସୁଥିବା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଚଳନ୍ତା ଟ୍ରେନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ମହିଳା ଜଣଙ୍କ ସନ୍ତାନ ପ୍ରସବ ପରେ ମେଡିକାଲ ସହାୟତା ପାଇଁ ଟାଟାନଗର ଛାଡିଥିବା ଟ୍ରେନଟି ପୁନର୍ବାର 2.5 କିଲୋମିଟର ପଛକୁ ଅର୍ଥାତ ଟାଟାନଗର ଷ୍ଟେସନ ଫେରିିଥିଲା । ଟ୍ରେନଟି ଟାଟାନଗର ଷ୍ଟେସନରେ ପହଞ୍ଚିବା ପରେ ନବଜାତ ଶିଶୁ ସହିତ ମହିଳାଙ୍କୁ ସଦର ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଶିଶୁ ଓ ମା’ ଉଭୟ ସୁରକ୍ଷିତ ଥିବା ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ, ରାନୁ ଦାସ ନାମକ ଜଣେ ଗର୍ଭବତୀ ଯାତ୍ରୀ ଆନନ୍ଦବିହାର-ଭୁବନେଶ୍ବର ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ନିଜର ୪ ବର୍ଷୀୟ ପୁଅ ଏବଂ ପିତାମାତାଙ୍କ ସହ କୋଚ୍ ନମ୍ବର S-5ରେ ଯାତ୍ରା କରୁଥିଲେ। ଟ୍ରେନଟି ଟାଟାନଗର ଷ୍ଟେସନ ଛାଡିବା ପରେ ମହିଳାଜଣଙ୍କ ପ୍ରସବ ବେଦନା ଅନୁଭବ କରିଥିଲେ । ପରିବାର ସଦସ୍ୟ ଏବଂ ଅନ୍ୟ ଯାତ୍ରୀମାନେ ସାହାଯ୍ୟ ପାଇଁ ଟ୍ରେନର ଚେନପୁଲିଂ କରି ଟ୍ରେନ୍କୁ ଅଟକାଇ ଥିଲେ ।
ଏହି ସମୟରେ ମହିଳା ଜଣଙ୍କ ଚଳନ୍ତା ଟ୍ରେନରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଟ୍ରେନ୍ ଅଟକିବା ମାତ୍ରେ ସୂଚନା ପାଇ ରେଳ ସୁରକ୍ଷା ବଳର ଅଧିକାରୀ ଓ କର୍ମଚାରୀମାନେ ତୁରନ୍ତ ଟାଟାନଗର ରେଳ ଷ୍ଟେସନ ନିୟନ୍ତ୍ରଣ କକ୍ଷକୁ ଅବଗତ କରାଇଥିଲେ । ତେବେ ରେଳ ନିୟନ୍ତ୍ରଣ କକ୍ଷରୁ ଅଧିକାରୀଙ୍କ ଆଲୋଚନା ପରେ ପୁନର୍ବାର ଟ୍ରେନକୁ ଟାଟାନଗର ଷ୍ଟେସନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା ।
ଟ୍ରେନ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ସମସ୍ତ ପ୍ରାଥମିକ ମେଡିକାଲ ପ୍ରସ୍ତୁତି ଶେଷ ହୋଇଥିଲା । ଟ୍ରେନ ଷ୍ଟେସନରେ ପହଞ୍ଚିବା ପରେ ତୁରନ୍ତ ପ୍ରସୂତିଙ୍କୁ ଡାକ୍ତର ପରୀକ୍ଷା କରିବା ପରେ ମହିଳା ଏବଂ ତାଙ୍କ ନବଜାତ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ଖସମାହଲ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସଦର ହସ୍ପିଟାଲରେ ଏକ ଡାକ୍ତରୀ ଟିମ୍ ନବଜାତ ଶିଶୁ ଓ ମା’ର ସ୍ବାସ୍ଥ୍ୟ ପରୀକ୍ଷା ପରେ ଉଭୟଙ୍କୁ MGM ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି । ସେଠାରେ ଉଭୟ ମା’ ଓ ନବଜାତ ଶିଶୁ ସୁରକ୍ଷିତ ଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ