ମୁମ୍ବାଇ: ପିସ୍ତଲ ଲାଇସେନ୍ସ ପାଇଁ ମୁମ୍ବାଇ ପୋଲିସ ନିକଟରେ ଆବେଦନ କଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍ । ଏହାକୁ ନେଇ ପୋଲିସ କମିଶନରଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ସଲମାନ୍ ଖାନ୍ । ପଞ୍ଜାବରେ ଜଣାଶୁଣା ପଞ୍ଜାବୀ କଣ୍ଠଶିଳ୍ପୀ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ, ସଲମାନ୍ ଖାନ୍ଙ୍କୁ ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଛି ।
ସଲମାନ୍ ଖାନ୍ କୃଷ୍ଣକାୟ ମୃଗ ମାରିଥିବାରୁ ଲରେନ୍ସ ବିଷ୍ଣୋଇ ଦବଙ୍ଗ ଖାନ୍କୁ ହତ୍ୟା କରିବ ବୋଲି କହିଥିଲା । ତା ଛଡ଼ା କିଛି ଦିନ ପୂର୍ବରୁ ଲରେନ୍ସ ବିଷ୍ଣୋଇ ପକ୍ଷରୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା । ବାନ୍ଦ୍ରାର ବ୍ୟାଣ୍ଡଷ୍ଟାଣ୍ଡ ପ୍ରୋମେନାଡରୁ ମିଳିଥିଲା । ସଲମାନ୍ ଖାନ୍ଙ୍କ ବାପା ମର୍ଣ୍ଣିଂ ୱାକ୍ କରିବା ପରେ ଏଠାରେ ବସନ୍ତି । ସେଠାରୁ ତାଙ୍କ ବଡିଗାର୍ଡକୁ ଏହି ଚିଠି ମିଳିଥିଲା ।
ଏହାକୁ ନେଇ ପୋଲିସ କମିଶନରଙ୍କ ସହ କଥା ହେବାକୁ ଯାଇଥିଲେ ସଲମାନ ଖାନ୍ । ଏହାପରେ ସେ ଥାନାରେ ଏକ ଆବେଦନ ଦେଇଥିଲେ । ଏହି ଆବେଦନ ପିସ୍ତଲ ପାଇଁ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ପୋଲିସ କିମ୍ବା ସଲମାନ୍ ଖାନ୍ଙ୍କ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ଦିଆଯାଇନାହିଁ । ବର୍ତ୍ତମାନଲ ସଲମାନ୍ ଖାନ୍ କଭି ଇଦ୍ କଭି ଦିୱାଲୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ।