ହାଇଦ୍ରାବାଦ: ବିସ୍ମୟ ବାଳିକା ଭୂମି ଶତରୂପା । ବୟସ ମାତ୍ର ୬ ବର୍ଷ । କୁନି ଓଠରେ ଅନର୍ଗଳ କରୁଛନ୍ତି ମନ୍ତ୍ର ଜପ । ମନ୍ତ୍ର ପାଠ କରିବା ସମୟରେ ବଡ ବଡ ଲୋକଙ୍କ ପାଟି ଲାଗେ, କିନ୍ତୁ ଏହି କୁନି ବାଳିକା ଜଣଙ୍କ ଅତିସ୍ପଷ୍ଟ ଭାବେ ଗାୟତ୍ରୀ ମନ୍ତ୍ର ସହ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରୁଛନ୍ତି । ବୟସ ସିନା କମ କିନ୍ତୁ ତାଙ୍କର ଶିଖିବାର ଇଚ୍ଛା ଶକ୍ତି ଆଜି ବଡ ବଡଙ୍କୁ ବି ପଛରେ ପକାଇଦେଇଛି । ଭୂମିଙ୍କ ଘର ଗଞ୍ଜାମ ଜିଲ୍ଲାର ହରିପୁର ବୁରୁଡି ଗାଁରେ । ହେଲେ ଗତ ୩ ବର୍ଷ ହେଲା ସେ ପଞ୍ଜାବର ମୋହାଲିରେ ବାପା ଡକ୍ଟର ଫକୀର ମୋହନ ନାହାକ ଓ ମା ଗୀତାଞ୍ଜଳୀ ନାହାକଙ୍କ ସହ ରହୁଛନ୍ତି ।
ଭୂମି ପଞ୍ଜାବ ମୋହାଲିର ଆନିସ ସ୍କୁଲରେ ଏବେ ପ୍ରଥମ ଶ୍ରେଣୀରେ ପାଠ ପଢୁଛନ୍ତି । କିନ୍ତୁ ତାଙ୍କୁ ଓଡିଆ ଭାଷା ଓ ଓଡିଆ ଲେଖିବା ଜଣା ନାହିଁ । ଘରେ ପ୍ରତିଦିନ ବାପା ମା’ ଭଗବାନଙ୍କୁ ପୂଜା କରିବା ସମୟରେ ଉଚ୍ଚାରଣ କରୁଥିବା ମନ୍ତ୍ର ଶୁଣି ଶୁଣି ମନେ ରଖିଛନ୍ତି ଭୂମି । ଏହା ପରେ ମାତ୍ର ୩ ବର୍ଷ ବୟସରୁ ମନ୍ତ୍ର ଉଚ୍ଚାରଣ କରିବା ଆରମ୍ଭ କରିଦେଇଥିଲେ । ଯେଉଁଥି ପାଇଁ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଭୂମି ପଞ୍ଜାବରେ ରହୁଛନ୍ତି ସତ କିନ୍ତୁ ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କ କୁନି ଭକ୍ତ । ଘରେ କାହା ଦେହ ଖରାପ ହେଉ ଅବା କୌଣସି ସମସ୍ୟା ଏଥିରୁ ମୁକ୍ତି ପାଇବା ପାଇଁ ସେ ଜଗନ୍ନାଥଙ୍କୁ ସ୍ମରଣ କରନ୍ତି ଓ ଦୁଃଖ ଜଣାନ୍ତି ।
ଅନ୍ୟ ପଟେ ଭୂମି ମନ୍ତ୍ରପାଠରେ ଖାଲି ସୀମିତ ନୁହନ୍ତି ପରିବେଶ, ପ୍ରକୃତି ଓ ସୁରକ୍ଷାକୁ ନେଇ ମଧ୍ୟ ବିଭିନ୍ନ ସଚେତନତାର ବାର୍ତ୍ତା ରହିଛି । ବୃକ୍ଷ ଲଗାଇବା ସହ ରଙ୍ଗ ତୁଳୀ ମାଧ୍ୟମରେ ଟ୍ରାଫିକ ସଚେତନ ମଧ୍ୟ କରୁଛନ୍ତି । ଘରେ ନାଚ, ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି ଭୂମି । ତୁଳସୀ ଦୁଇ ପତ୍ରରୁ ବାସିବା ପରି ତାଙ୍କ ପ୍ରତିଭା ଚାରିଆଡେ ପ୍ରସ୍ଫୁଟିତ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ