ନୂଆଦିଲ୍ଲୀ: ଗତବର୍ଷ ମାର୍ଚ୍ଚ ମାସ ଠାରୁ ଭାରତ କୋରୋନା ମହାମାରୀ ବିରୋଧରେ ଲଢି ଆସୁଛି । ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ, ସଟଡାଉନ ପରେ ଦେଶରେ ସ୍ବଦେଶୀ ଟୀକା ପ୍ରସ୍ତୁତ କରାଯାଇଛି । ମହାମାରୀ ବିରୋଧରେ ଭାରତକୁ ସଫଳତା ମିଳିଛି । ମାର୍ଚ୍ଚ 28 ତାରିଖ ବା ଆଜି ସୁଦ୍ଧା ଭାରତରେ 6 କୋଟି ଟିକାକରଣ ଶେଷ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ରବିବାର ସକାଳ 7 ଟା ପର୍ଯ୍ୟନ୍ତ ଦେଶରେ 6 କୋଟି 2 ଲକ୍ଷ 69 ହଜାର 782 ଲୋକଙ୍କୁ କୋରୋନା ଟିକା ଦିଆଯାଇଥିବା ରେକର୍ଡ କରାଯାଇଛି । ଏହି ଟିକା ମଧ୍ୟରୁ ସ୍ବାସ୍ଥ୍ୟକର୍ମୀଙ୍କୁ 81 ଲକ୍ଷ 52 ହଜାର 808ଟି ପ୍ରଥମ ଡୋଜ ଦିଆଯାଇଥିବା ବେଳେ ଦ୍ବିତୀୟ ଡୋଜରେ 51 ଲକ୍ଷ 75 ହଜାର 597ଟି ଟିକା ଦିଆଯାଇଛି । ସେହିପରି ଫ୍ରଣ୍ଟଲାଇନ କର୍ମୀଙ୍କୁ ପ୍ରଥମ ଡୋଜରେ 88 ଲକ୍ଷ 90 ହଜାର 46ଟି ଟିକା ଓ ଦ୍ବିତୀୟ ଡୋଜରେ 36 ଲକ୍ଷ 52 ହଜାର 749ଟି ଟିକା ଦିଆଯାଇଛି ।
ଏହାସହିତ 45 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟରେ 66 ଲକ୍ଷ 73 ହଜାର 662ଟି ଟିକା ଓ 60 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ 2 କୋଟି 77 ଲକ୍ଷ 24 ହଜାର 920ଟି ଟିକା ଦିଆଯାଇଛି । ଦେଶର 8ଟି ରାଜ୍ୟ କେରଳ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଗୁଜୁରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ପ୍ରାୟ 60 ପ୍ରତିଶତ ଟୀକାକରଣ ଶେଷ ହୋଇସାରିଥିବା ବେଳେ ଏହି 8ଟି ରାଜ୍ୟ ମଧ୍ୟରୁ ପ୍ରତିଟି ରାଜ୍ୟରେ 30 ଲକ୍ଷ ଡୋଜ କୋରୋନା ଭ୍ୟାକ୍ସିନ ଦିଆଯାଇଛି ।
ଦେଶରେ 7ଟି ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, ତାମିଲନାଡୁରେ ପ୍ରତିଦିନ ବିପୁଳ ମାତ୍ରାରେ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏହି 7ଟି ରାଜ୍ୟରେ 81. 46 ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଥିବା ରେକର୍ଡ କରାଯାଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ 35 ହଜାର 726ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରେ 3162ଟି ଓ କର୍ଣ୍ଣାଟକରେ 2886ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
@ANI