ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଛାଇ ରହିଛି କୋରୋନାର କଳା ବାଦଲ । ସଂକ୍ରମଣ ଅନିୟନ୍ତ୍ରିତ ଭାବେ ବଢୁଥିବା ବେଳେ ଲଗାତାର ଲାଗି ରହିଛି ଅକ୍ସିଜେନ ଅଭାବ । କେନ୍ଦ୍ର ଓ ଅନ୍ୟ ରାଜ୍ୟରୁ ଯୋଗାଣ ସତ୍ତ୍ବେ ନିଅଣ୍ଟ ପଡୁଛି ଅକ୍ସିଜେନ। ଯାହାର ଫଳସ୍ବରୂପ ଦିଲ୍ଲୀ ସ୍ଥିତ ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଘଟିଛି ବଡ ଅଘଟଣ । ଅକ୍ସିଜେନ ନ ପାଇ 20 ଜଣ କୋରୋନା ଆକ୍ରାନ୍ତ ଜୀବନ ହାରିଛନ୍ତି ।
ଜୟପୁର ଗୋଲ୍ଡେନ ହସ୍ପିଟାଲର ଏମଡି ଡ.ଡିକେ ବଲୁଜା ଗତକାଲି ସନ୍ଧ୍ୟାରେ ଅକ୍ସିଜେନ ଅଭାବ ନେଇ ସୂଚନା ଦେଇଥିଲେ । 20 ଜଣ ଗୁରୁତର ସଂକ୍ରମିତଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଛି ।
ସେପଟେ, ବତ୍ରା ଓ ସର ଗଙ୍ଗା ରାମ ହସ୍ପିଟାଲରେ ଆଉ କିଛି ଘଣ୍ଟା ପାଇଁ ଅକ୍ସିଜେନ ରହିଛି । ଫଳରେ ପରବର୍ତ୍ତୀ ସମୟରେ ଅଧିକ ଜୀବନ ଯିବାର ଆଶଙ୍କା କରାଯାଉଛି । ଦିଲ୍ଲୀର ଅନ୍ୟ ଏକ ସରୋଜ ହସ୍ପିଟାଲରେ ମଧ୍ୟରେ ଅକ୍ସିଜେନର ଘୋର ସଙ୍କଟ ଦେଖାଦେଇଛି । ଯାହାକୁ ନେଇ ନୂତନ ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉନାହିଁ ।
ଅକ୍ସିଜେନ ଅଭାବରୁ ବତ୍ରା ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ଅନୁସାରେ, ସକାଳ 7ଟା ସୁଦ୍ଧା ସମସ୍ତ ଅକ୍ସିଜେନ ସରିଯାଇଥିଲା । ଦୈନିକ 7 ହଜାର ଅକ୍ସିଜେନ ଆବଶ୍ୟକ ହେଉଥିବାବେଳେ 500 ଲିଟର ଯୋଗାଇ ଦିଆଯାଉଛି । ଡାକ୍ତରଖାନାରେ 300ରୁ ଅଧିକ ସଂକ୍ରମିତ ରହିଥିବାବେଳେ ଆଇସିୟୁରେ 48 ଗୁରୁତର ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ସେହିପରି ବତ୍ରା ହସ୍ପିଟାଲକୁ 500 କିଲୋଗ୍ରାମ ଅକ୍ସିଜେନ ପହଞ୍ଚିଥିଲେ ମଧ୍ୟ ଏହା ଘଣ୍ଟାଏ ପରେ ଶେଷ ହୋଇଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ