ଗାନ୍ଧୀନଗର: ମୋଟର ସାଇକେଲ ରେସିଂ ଯୁଗରେ ବଞ୍ଚି ରହିଛି ୧୨୫ବର୍ଷର ପୁରାତନ ପରମ୍ପରା । ଯେଉଁଠି ଘରେଘରେ ଲୋକେ ବିଭିନ୍ନ ପ୍ରଜାତିର ଘୋଡ଼ା ପାଳିବା ସହିତ ପରମ୍ପରା ଅନୁଯାୟୀ ସେମାନଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା କରିଥାନ୍ତି । ଦଶନ୍ଧିଦଶନ୍ଧି ଧରି ଏପରି ପ୍ରତିଯୋଗିତାର ଆୟୋଜନ କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା । ଗୁଜୁରାଟ ଜାମନଗରରେ ଏପରି ପ୍ରତିଯୋଗିତାର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ଶତାଧିକ ଦର୍ଶକ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ଜାମନଗର ମସିତିୟା ଗ୍ରାମରେ ଗତ ୮ ତାରିଖରେ ଏହି ପାରମ୍ପରିକ ଘୋଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଜା ମାରିଙ୍କ ଘୋଡ଼ା(ନମ୍ବର ୩୦୨) ପ୍ରଥମ ପୁରସ୍କାର ଗ୍ରହଣ କରିଛି । ଗତବର୍ଷ ୩୦୭ ନମ୍ବରର ବାଦଶାହ ନାମକ ଏକ ଘୋଡ଼ା ପ୍ରଥମ ହୋଇଥିଲା । ପ୍ରତିବର୍ଷ ଘୋଡ଼ାମାନଙ୍କ ମଧ୍ୟରେ ଏହି ଦୌଡ଼ ପ୍ରତିଯୋଗିତାର ଆୟୋଜନ କରାଯାଉଥିବା ବେଳେ ପୁରସ୍କାର ବଣ୍ଟନ କରାଯାଇଥାଏ । ଏହି ପ୍ରତିଯୋଗିତାରେ ସୌରାଷ୍ଟ୍ର, କୁଚ୍ଛ ଓ କାଠିଆୱାଡି ଅଞ୍ଚଳର ପାଳିତ ଘୋଡ଼ାମାନେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି । ଯେଉଁ ଘୋଡ଼ା ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହୋଇଥାଏ, ତାର ମାଲିକକୁ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଏହା ବି ପଢନ୍ତୁ- Pak intruders Arrest: ପଞ୍ଜାବରୁ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ
ଏ ନେଇ ମସିତିଆ ଗ୍ରାମରେ ଜଣେ ଜନ ପ୍ରତିନିଧି କସାମଭାଇ ଖାଫି କହିଛନ୍ତି, " ଗତ ୧୨୫ ବର୍ଷ ଧରି ଏହି ପ୍ରତିଯୋଗିତା ପାଳିତ ହୋଇଆସୁଛି । ଏହାସହିତ ଓଟ ଦୌଡ଼ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥାଏ । ଘୌଡ଼ା ଦୌଡ଼ ପ୍ରତିଯୋଗିତା ୨ ଭାଗର ହୋଇଥାଏ । ଛୋଟ ଓ ବଡ଼ ଘୋଡ଼ାଙ୍କ ମଧ୍ୟରେ ପୃଥକ ଭାବେ ପ୍ରତିଯୋଗିତା ହୋଇଥାଏ ।" ଆଫଗାନିସ୍ତାନରେ ପ୍ରଥମେ ଘୋଡ଼ାମାନଙ୍କ ମଧ୍ୟରେ ଏପରି ପ୍ରତିଯୋଗିତା ହେଉଥିଲା । ଏହା ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିବା ପରେ ବିଶ୍ବର ଅନ୍ୟ ସ୍ଥାନରେ ଏପରି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।
ତେବେ ଗୁଜୁରାଟ ଜାମନଗର ଅଞ୍ଚଳର ଲୋକମାନେ ସୌକ ଭାବେ ଭିନ୍ନ ଭିନ୍ନ ପ୍ରଜାତିର ଘୋଡ଼ା ପାଳିଥାନ୍ତି । କାଠିଆୱାଡି, କୁଚ୍ଛ, ମାରୱାରି ଘୋଡ଼ାର ଅଧିକ ଡିମାଣ୍ଡ ରହିଥାଏ । ପ୍ରତିବର୍ଷ ଏହି ପ୍ରଜାତିର ଘୋଡ଼ାମାନେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥାଆନ୍ତି । ଘୋଡ଼ାମାନଙ୍କୁ ପ୍ରତିଯୋଗିତା ଲାଗି ମାଲିକମାନେ ବର୍ଷ ସାରା ତାଲିମ ଦେଇଥାନ୍ତି । ଘୋଡ଼ା ପଛରେ ଅନେକ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାଆନ୍ତି । ସ୍ଥାନୀୟ ଅଞ୍ଚଳରେ ଏହି ପ୍ରତିଯୋଗିତା ବେଶ ଲୋକପ୍ରିୟ ହାସଲ କରିଥିବା ବେଳେ ଅନେକ ଦର୍ଶକ ଏଥିରେ ସାମିଲ ହୋଇଥାନ୍ତି ।