ଭୋପାଳ: ବାଲ୍ୟ ବିବାହର କରୁଣ ଚିତ୍ର । ୧୧ ବର୍ଷର ଝିଅକୁ ୨୧ ବର୍ଷର ପୁଅ ସହ ବିବାହ ଦେଲେ ସାବତ ବାପା ଓ ମାଆ । ଏନେଇ ଅଭିଯୋଗ ପରେ ଗିରଫ ହେଲେ ବାପା, ମାଆ, ମଧ୍ୟସ୍ଥି ଓ ବିବାହ କରିଥିବା ଯୁବକ । ମଧ୍ୟପ୍ରଦେଶର ଗ୍ବାଲିଅରର ଚିନୋର ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି । ବାଲ୍ୟ ବିବାହ ଆଇନ ବ୍ୟତୀତ ପୋକସୋ ଆକ୍ଟ ଅନୁଯାୟୀ ବିବାହ କରିଥିବା ଯୁବକଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ଗିରଫ କରିଛି ।
ଗ୍ବାଲିଅର ଏସପି ସୂଚନା ଦେଇ କହିଛନ୍ତି ଯେ, "ନାବାଳିକାଙ୍କ ଭାଇ ଭଉଣୀର ବିବାହରେ ଖୁସି ନଥିବାରୁ ଥାନାରେ ଅଭିଯୋଗ କରିଥିଲେ । ଭଉଣୀଙ୍କୁ ବୟସ ହୋଇନଥିଲେ ମଧ୍ୟ ବାପା ମାଆ ତା ଠାରୁ ୧୦ ବର୍ଷ ବଡ ଯୁବକକୁ ଜୋରଜବରଦସ୍ତ ବିବାହ କରାଇଥିଲେ ।" ଏହାପରେ ପୋଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କୁ ଗିରିଗାମୁରୁ ଉଦ୍ଧାର କରି ୪ଜଣଙ୍କୁ ଗିରଫ କରିଥିଲା ।