ନୂଆଦିଲ୍ଲୀ: ଆଜି ଭାରତ ଓ ଚୀନ ମଧ୍ୟରେ 10ମ ପର୍ଯ୍ୟାୟ କଥାବାର୍ତ୍ତା । ପୂର୍ବାହ୍ନ 10ଟାରେ ହେବ କର୍ପସ କମାଣ୍ଡର ସ୍ତରୀୟ ବୈଠକ । ଚୀନ ପାର୍ଶ୍ବର ମାଲଡୋ ଠାରେ କମାଣ୍ଡରସ୍ତରୀୟ ଆଲୋଚନା ହେବ । ପାଙ୍ଗଙ୍ଗ ହ୍ରଦର ଉଭୟ ଉତ୍ତର ଏବଂ ଦକ୍ଷିଣ କୂଳରୁ ସୈନ୍ୟ ପ୍ରତ୍ୟାହାର ହୋଇସାରିଥିବାବେଳେ ବାକି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ହେବ ଆଲୋଚନା ।
ପାଙ୍ଗଙ୍ଗ ହ୍ରଦରେ ସୈନ୍ୟ ପ୍ରତ୍ୟାହାର ପରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଏକ ବୈଠକରେ ଡେପସଙ୍ଗ ଏବଂ ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ନେଇ ପ୍ରସଙ୍ଗ ମଧ୍ୟ ଉଠାଯିବ ବୋଲି ଆଶା କରାଯାଉଛି । ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ LAC ର ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ଆଲୋଚନା କରାଯିବ। ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଏହି କଥାବାର୍ତ୍ତା ସମୟରେ ଭାରତ କୌଣସି ଆପୋଷ ବୁଝାମଣା କରିବ ନାହିଁ । ଦଶମ ରାଉଣ୍ଡ ଆଲୋଚନା କରିବାକୁ ଉଭୟ ପକ୍ଷ ମଧ୍ୟ ସହମତ ହୋଇଛନ୍ତି ।